FIFA World Cup: ଆଜି ଆର୍ଜେଣ୍ଟିନା ବନାମ କ୍ରୋଏସିଆ ପ୍ରଥମ ସେମି ଫାଇନାଲ୍, ଭାଙ୍ଗିବ ମେସି କିମ୍ବା ମୋଡ୍ରିକ୍ଙ୍କ ସ୍ଵପ୍ନ
13/12/2022 at 6:00 PM

ନୂଆଦିଲ୍ଲୀ: ଫିଫା ବିଶ୍ଵ କପ୍ ୨୦୨୨ରେ ଆଜି ଅର୍ଥାତ ଡିସେମ୍ବର ୧୩ରେ ପ୍ରଥମ ସେମି ଫାଇନାଲ୍ ଖେଳାଯିବ। ହେଲେ ମ୍ୟାଚ୍ ଆରମ୍ଭ ହେଲା ବେଳକୁ ଭାରତରେ ଡିସେମ୍ଵର ୧୪ ତାରିଖ ହୋଇ ସାରିଥିବ। କାରଣ ମୁକାବିଲା ରାତି ୧୨ଟା ୩୦ରେ ଖେଳାଯିବ। ପ୍ରଥମ ସେମି ଫାଇନାଲ୍ରେ ମୁହାଁମୁହିଁ ହେବେ ଦୁଇ ଥରର ବିଶ୍ଵ କପ୍ ବିଜେତା ଆର୍ଜେଣ୍ଟିନା ଏବଂ ଗତ ସଂସ୍କରଣର ଉପ ବିଜେତା କ୍ରୋଏସିଆ। କାତାରର ସବୁଠୁ ବଡ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ୍ରେ ପ୍ରତିଷ୍ଠିତ ଖେଳାଳି ଲିଓନେଲ୍ ମେସି ଏବଂ ଲୁକା ମୋଡ୍ରିକ୍ ମୁହାଁମୁହିଁ ହେବେ। ଆଜିର ମ୍ୟାଚ୍ରେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଖେଳାଳିଙ୍କ ବିଶ୍ଵ କପ୍ ଜିତିବାର ସ୍ଵପ୍ନ ସମ୍ଭବତଃ ସବୁ ଦିନ ପାଇଁ ଭାଙ୍ଗିଯିବ।
ଏହା ପୂର୍ବରୁ ଚଳିତ ବିଶ୍ଵ କପ୍ରୁ ସାଂପ୍ରତିକ ଫୁଟବଲ୍ର ସବୁଠୁ ବଡ ସୁପରଷ୍ଟାର ବ୍ରାଜିଲର ନେମାର ଏବଂ ପର୍ତ୍ତୁଗାଲର କ୍ରିଷ୍ଟିୟାନୋ ରୋନାଲ୍ଡୋ ଲୁହ ସହିତ ବିଦାୟ ନେଇ ସାରିଛନ୍ତି। କ୍ଵାର୍ଟର ଫାଇନାଲ୍ରେ ନିଜ ନିଜର ମ୍ୟାଚ୍ରେ ହାରି ବ୍ରାଜିଲ ଏବଂ ପର୍ତ୍ତୁଗାଲ ଫିଫା ବିଶ୍ଵ କପ୍ରୁ ବାଦ୍ ପଡି ସାରିଛନ୍ତି। ଏବେ ମେସି କିମ୍ବା ମୋଡ୍ରିକ୍ଙ୍କ ମଧ୍ୟରୁ ଜଣଙ୍କ ଲୁହରେ ଆଜି ଷ୍ଟାଡିୟମ ଭିଜିବା ସୁନିଶ୍ଚିତ। ଯେଉଁ ଦଳ ସେମି ଫାଇନାଲ୍ ଜିତିବ ଫାଇନାଲ୍ରେ ପ୍ରବେଶ କରିବ। ପରାଜିତ ଦଳ ତୃତୀୟ ସ୍ଥାନ ପାଇଁ ଦ୍ଵିତୀୟ ସେମି ଫାଇନାଲ୍ରେ ପରାଜିତ ଦଳକୁ ଭେଟିବ।
ବର୍ତ୍ତମାନ ମେସି ଚତ୍ମକାର ଫର୍ମରେ ଅଛନ୍ତି। ଆର୍ଜେଣ୍ଟିନାକୁ ସେମି ଫାଇନାଲ୍ରେ ପହଞ୍ଚିବାରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ସେ ଦଳକୁ ସେମିତି ନେତୃତ୍ଵ ନେଉଛନ୍ତି ଠିକ୍ ଯେଉଁଭଳି ୧୯୮୬ରେ ଡିଏଗୋ ମାରାଡୋନା ଆର୍ଜେଣ୍ଟିନାକୁ ଦ୍ଵିତୀୟ ବିଶ୍ଵ କପ୍ ଦେବା ସମୟରେ ଦେଇଥିଲେ। ହେଲେ ଆର୍ଜେଣ୍ଟିନାର ଫାଇନାଲ୍ରେ ପହଞ୍ଚିବାରେ କ୍ରୋଏସିଆ କାନ୍ଥ ଭଳି ଛିଡା ହୋଇ ରହିଛି। କ୍ରୋଏସିଆ ଗତ ବିଶ୍ଵ କପ୍ରେ ଦମଦାର ପ୍ରଦର୍ଶନ କରିଥିଲା ଏବଂ ଚଳିତ ବିଶ୍ଵ କପ୍ରେ ବି ସେମି ଫାଇନାଲ୍ରେ ପହଞ୍ଚି ପାରିଛି। ଏବେ ଦେଖିବା ବାକି ରହିଲା ଯେ ମେସି ନା ମୋଡ୍ରିକ୍ କିଏ ଫାଇନାଲ୍ ମ୍ୟାଚ୍ ଖେଳିବେ।