ଗାଈକୁ ବଞ୍ଚାଇବାକୁ ଯାଇ ମହାବଳ ବାଘ ସହ ଲଢ଼ିଲେ ଯୁବକ : ଦେଖନ୍ତୁ ଭିଡିଓ
20/06/2019 at 12:44 PM

ଅମରୋଲି ୨୦/୬ : ଗୁଜରାଟ ଅମରୋଲି ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗିର ଜଙ୍ଗଲରୁ ୧୫ ଫୁଟ ଉଚ୍ଚ ପାଚେରୀ ଡେଇଁ ଏକ ମହାବଳ ବାଘ ଖମ୍ବା ଗାଁକୁ ଆସିଥିଲା । ଖମ୍ବା ଗାଁର ଏକ ଗୋଶାଳାରେ ପହଞ୍ଚିଥିଲା ବାଘଟି । ବାଘକୁ ଗୋଶାଳାରେ ଦେଖି ଗାଈ ବାଛୁରୀ ଜୀବନ ବିକଳରେ ଗୋଶାଳାରୁ ଦଉଡି଼ବା ଆରମ୍ଭ କରିଥିଲେ । ଗାଈମାନଙ୍କ ବିକଳ କାନ୍ଦ ଶୁଣି ଗୋଶାଳାର ସଂଚାଳକ ଦେବସୀ ଭାଇ ବାଢେର ବାହାରକୁ ଆସିଥିଲେ । ବାହାରକୁ ଆସି ସେ ଦେଖିଲେ ମହାବଳ ବାଘ ଏକ ବାଛୁରୀକୁ କାବୁ କରିଛି ଏବଂ ତାର ଶିକାର କରିବାକୁ ଉଦ୍ୟମ କରୁଛି ।

ଦେବସୀ ଭାଇ ସାହସର ସହ ବାଘ ସହ ଲଢ଼ିଥିଲେ । ସେ ଏକ ବାଡ଼ି ଆଣି ବାଘ ଆଡକୁ ଫୋପାଡ଼ିଥିଲେ । ବାଡ଼ି ଫୋପାଡିବାରୁ ବାଛୁରୀଟି ବାଘ ମୁହଁରୁ ଖସି ପଡିଥିଲା । ଫଳରେ ବାଛୁରୀ ଦୌଡ଼ି ପଳାଇଥିଲା । ଏତିକିବେଳେ ଗାଈଙ୍କ ବିକଳ କାନ୍ଦ ଶୁଣି ଗାଁଲୋକଙ୍କ ନିଦ ଭାଙ୍ଗିଗଲା । ଗାଁଲୋକେ ଆସି ଦେଖିଲାବେଳକୁ ଗୋଶାଳା ଭିତରେ ମହାବଳ ବାଘ । ସମସ୍ତ ଗାଁଲୋକ ମିଶି ବାଘକୁ ଗାଁରୁ ତାଡି ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଅମରୋଲି ଜିଲ୍ଲାର ଖମ୍ବା ଗାଁ ଗିର ଜଙ୍ଗଲ ନିକଟରେ ରହିଛି । ଯେଉଁଥିପାଇଁ ଏଠାରେ ପ୍ରାୟ ସବୁବେଳେ ବାଘମାନେ ଗାଁ ଭିତରକୁ ପଶି ଆସିଥାନ୍ତି ଏବଂ ବିଭିନ୍ନ ପଶୁଙ୍କୁ ଉଠାଇ ନେଇଥାନ୍ତି । ୩ ଦିନ ପୂର୍ବରୁ ଖମ୍ବ ଗାଁର ତୁଳସୀଶ୍ୟାମ ରେଞ୍ଜକୁ ୪/୫ଟି ବାଘ ପଶିଆସିଥିଲେ ଏବଂ ଗାଈ ଶିକାର କରିଥିଲେ ।