ମଇଁଷି କିଣିବାକୁ ଯାଇ ଘରକୁ ଫେରିଲେନି, ଗୁଳିମାଡରେ ଟଳି ପଡିଲେ ବ୍ୟକ୍ତି, ୩୦ ହଜାର ଲୁଟି ନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 08, 2021 IST

ଢେଙ୍କାନାଳ ୦୮।୦୧: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ଖୁଣ୍ଟାପଶିରୁ ନଗଡା ରାସ୍ତାରେ ଗୁଳି ମାଡ଼ ହୋଇଛି। ଏହି ଗୁଳିମାଡରେ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମର ଗୋବିନ୍ଦ ବେହେରା ବୋଲି ଜଣାପଡିଛି । ଗୋବିନ୍ଦଙ୍କ ସାଥିରେ ତାଙ୍କ ଗ୍ରାମର ଚହଲି ଦାସ ଓ ଚଗଲି ସେଠି ନାମକ ଅନ୍ୟ ଦୁଇଜଣ ଥିଲେ । ତେବେ ଏହି ଗୁଳିକାଣ୍ଡର ପ୍ରକୃତ କାରଣ କଣ ସନ୍ଦେହ ଘେରରେ ରହିଛି ।

ସୂଚନା ଅନୁଯାୟୀ ମୃତ ଗୋବିନ୍ଦଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ଗୋବିନ୍ଦ ମଇଁଷି କିଣିବାକୁ ଯାଇଥିଲେ। ତେବେ ଗୋବିନ୍ଦଙ୍କ ସହ ଯାଇଥିବା ଅନ୍ୟ ଦୁଇ ସାଥୀଙ୍କ କହିବା ମୁତାବକ ଗତ କାଲି ଏମାନେ ତିନିଜଣ ମଇଁଷି କିଣିବାକୁ ଖୁଣ୍ଟାପଶି ନିକଟରୁ ଚାଲି ଚାଲି ନଗଡା ରାସ୍ତାରେ ଯାଉଥିଲେ । ତେବେ ବିଳମ୍ବିତ ରାତିରେ  ଅଚାନକ ଚାରିଜଣ ସନ୍ଦିଗ୍ଧ ଆସି ତାଙ୍କ ଠାରୁ ୩୦ହଜାର ଟଙ୍କା ଛଡାଇ ନେଇଥିଲେ । ପରେ ତାଙ୍କୁ ଗୁଳିମାଡ଼ କରି ପଳାଇଯାଇଛନ୍ତି । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଢେଙ୍କାନଲ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ଏସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.