ପୁଣି ଥରେ ମା’ ହେଲେ ତାରକ ମେହେଟ୍ଟା ଫେମ୍ ଦିଶା ବକାନୀ, ଘରେ ଖୁସିର ମାହୋଲ
24/05/2022 at 10:03 PM

ମୁମ୍ବାଇ ୨୪।୫: ‘ତାରକ ମେହେଟ୍ଟା କା ଓଲଟା ଚାଷମା’ରେ ଦୟାବେନ ଭୂମିକାରେ ଅଭିନୟ କରି ଘରେ ଘରେ ପରଚିତ ଦିଶା ବକାନୀ ପୁଣିଥରେ ମା’ ହୋଇଛନ୍ତି । ଦ୍ବିତୀୟ ଥର ପାଇଁ ମା’ ହୋଇଥିବା ଦିଶା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏ ନେଇ ନିଜେ ତାଙ୍କ ଭାଇ ମୟୂର ବକାନୀ ସ୍ପଷ୍ଟ କରିଛନ୍ତି । ମାମୁଁ ହୋଇଥିବା ମୟୂର ବକାନୀ ମଧ୍ୟ ଖୁସିରେ ଆତ୍ମହରା ହୋଇଯାଇଛନ୍ତି । ସାରା ପରିବାରରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳିଛି ।
ମୟୁର ବକାନୀ ଶୋ’ରେ ସୁନ୍ଦରଲାଲ ଚରିତ୍ରରେ ନଜର ଆସନ୍ତି । ସେ ଶୋ’ରେ ଦୟାବେନଙ୍କ ଭାଇ ଭୂମିକାରେ ଅଭିନୟ କରୁଥିବା ବେଳେ ରିୟଲ ଲାଇଫରେ ସେ ଦିଶା ବକାନୀଙ୍କ ଭାଇ । ଦ୍ବିତୀୟ ଥର ପାଇଁ ମାମୁଁ ହୋଇଥିବାରୁ ସେ ବହୁତ ଖୁସି । ଏକ ସାକ୍ଷତକାରରେ ସେ କହିଛନ୍ତି ଯେ, ସେ ମାମୁଁ ହୋଇ ବହୁତ ଖୁସି । ତାଙ୍କ କହିବା ଅନୁସାରେ, ‘୨୦୧୭ରେ ଦିଶା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏବେ ସେ ପୁଣି ଥରେ ମା’ ହୋଇଛନ୍ତି ଏବଂ ମୁଁ ମାମୁଁ । ଯାହାକୁ ନେଇ ମୁଁ ବହୁତ ଖୁସି ।’
ନିକଟରେ ଶୋ’ର ନିର୍ମାତା ଅସିତ ମୋଦୀ ଏକ ସାକ୍ଷାତକାରରେ କହିଥିଲେ ଯେ, ଚଳିତ ବର୍ଷ ଦୟାବେନଙ୍କ ଚରିତ୍ର ଶୋ’କୁ ଫେରିବ । ଯେତେବେଳେ ଏହି ଭୂମିକାରେ ଦିଶା ବକାନୀ ହେବା ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଦିଶା ଭକାନିଙ୍କୁ ବଦଳାଇ ପାରନ୍ତି ବୋଲି ହିଣ୍ଟସ ଦେଇଥିଲେ । ବର୍ତ୍ତମାନ ଦିଶାଙ୍କ ମା’ ହେବାର ଖବର ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ସେ ବର୍ତ୍ତମାନ ଶୋ’କୁ ଫେରିବେ ନାହିଁ । ଏଭଳି ପରିସ୍ଥିତିରେ ଶୋ’ରେ ତାଙ୍କ ରିପ୍ଲେସମେଣ୍ଟ ନିଶ୍ଚିତ ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୭ରେ ଦିଶା ବକାନୀ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସେବେଠାରୁ ସେ ମାଟରନିଟି ବ୍ରେକରେ ଅଛନ୍ତି । ୫ ବର୍ଷ ହେଲା ଦର୍ଶକମାନେ ତାଙ୍କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।