ଦିଦିଙ୍କ ଗଡରେ ଶାହାଙ୍କ ରଣହୁଙ୍କାର : କହିଲେ, ‘ଟିଏମସି ଗୁଣ୍ଡା ୧୩୦ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିସାରିଲେଣି, ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ’

Published By : Prameya-News7 Bureau | February 18, 2021 IST

କୋଲକାତା ୧୮/୦୨ : ପଶ୍ଚିମବଙ୍ଗ ଦିନକୁ ଦିନ ରାଜନୀତି ସରଗରମ ହେବାରେ ଲାଗିଛି । ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ଦୁଇ ଦଳ ବିଜେପି ଏବଂ ଟିଏମସି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି । ଏବେଠାରୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ନେତା ଓ ମନ୍ତ୍ରୀଙ୍କ ଭିଡ ଦେଖିବାକୁ ମିଳିଲାଣି । ଖାସ୍‌ କରି ବିଜେପି ଓ ଟିଏମ୍‌ସି ବରିଷ୍ଠ ନେତାମାନେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘନଘନ ପଶ୍ଚିମବଙ୍ଗ ଗସ୍ତ ଟିଏମସି ପାଇଁ ଚିନ୍ତାର ବିଷୟ ପାଲଟିଛି ।

କୋଲକାତାର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଗୁରୁବାର କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଶାହା କହିଛନ୍ତି, ‘ଯଦି ପଶ୍ଚିମବଙ୍ଗରେ ବିଜେପି ସରକାର ଆସେ ତେବେ ଗଙ୍ଗାସାଗରରେ ପର୍ଯ୍ୟଟନର ବିକାଶ କରାଯିବ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାକୁ ବିକାଶ କରାଯିବ । ନମାମି ଗଙ୍ଗା ଯୋଜନା ଅଧିନରେ ଗଙ୍ଗା ଜଳକୁ ସ୍ବଚ୍ଛ କରାଯିବ।’

ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନମାମି ଗଙ୍ଗା କାର୍ଯ୍ୟକ୍ରମ ଜରିଆରେ ଗଙ୍ଗୋତ୍ରୀରୁ ଗଙ୍ଗା ପର୍ଯ୍ୟନ୍ତ ସ୍ବଚ୍ଛତା କାର୍ଯ୍ୟ ଜାରି ରହିଥିଲା । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଆସିବା ପରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରି ଶାହା କହିଛନ୍ତି, ‘ଜୟ ଶ୍ରୀରାମ ନାରା ଦେଲେ ଦିଦି କହୁଛନ୍ତି ତାଙ୍କର ଅପମାନ ହେଉଛି । ଜୟ ଶ୍ରୀରାମ କହିବା ହିନ୍ଦୁମାନଙ୍କ ଧର୍ମ । ଆମେ ସଙ୍କଳ୍ପ କରୁଛୁ ଯେ ଆଗାମୀ ନିର୍ବାଚନରେ ପଶ୍ଚିମବଙ୍ଗରୁ ଟିଏମସିକୁ ଉପାଡି ଫିଙ୍ଗିଦିଆଯିବ।’

ପଶ୍ଚିମବଙ୍ଗରେ ଦିନକୁ ଦିନ ରାଜନୈତିକ ହିଂସାକାଣ୍ଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଶାହା କହିଛନ୍ତି, ବେଙ୍ଗଲରେ ଦିଦିଙ୍କ ତୃଣମୂଳ କଂଗ୍ରେସ ଗୁଣ୍ଡା ପ୍ରାୟ ୧୩୦  ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିସାରିଲେଣି । ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ।

ପଶ୍ଚିମବଙ୍ଗରେ ବିଜେପି ନିଜକୁ ଦୃଢ ଭାବେ ଛିଡା କରିବାକୁ ଉଦ୍ୟମ କରୁଛି । ଦଳ ଲଗାତର ଭାବେ ଏହି ପ୍ରୟାସରେ ଲାଗିଛି । କିପରି ରାଜ୍ୟରେ ଏକାକୀ ସରକାର ଗଢିବେ , ସେନେଇ ଅନେକ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛି । ସେପଟେ ଟିଏମ୍‌ସି ମଧ୍ୟ ବିଜେପିକୁ କଡ଼ା ଟକ୍କାର ଦେଉଛି ।

ସୂଚନାଯୋଗ୍ୟ ଯେ, ଗତ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟରେ ମୋଟ ୪୨ଟି ଆସନରୁ ୧୮ଟି ବିଜୟୀ ହୋଇଥିବା ବେଳେ ଟିଏମ୍‌ସି ୨୨ଟି ସିଟ୍‌ ଜିତିବାରେ ସକ୍ଷମ ହୋଇଥିଲା । ରାଜ୍ୟର ଶାସନଗାଦିରେ ବସିଥିବା ଟିଏମ୍‌ସିର ଏବେ ମୁଖ୍ୟ ବିରୋଧୀ ଦଳ ପାଲଟିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.