ଗରିବଙ୍କ ପାଇଁ ଆସୁଥିବା କେନ୍ଦ୍ର ପାଣ୍ଠିକୁ ହଡ଼ପ କରୁଛନ୍ତି ଟିଏମ୍ସି ସରକାର: ଜେପି ନଡ୍ଡା
19/01/2023 at 10:36 PM

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପାଇଁ କେନ୍ଦ୍ର ସରକାର ଫଣ୍ଡ ଦେଉ ନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି। ହେଲେ ଏହି ଅଭିଯୋଗକୁ ନେଇ ଆଜି ଟିଏମ୍ସି ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜନମଙ୍ଗଳ ପାଇଁ ଉଦିଷ୍ଟ କେନ୍ଦ୍ର ପାଣ୍ଠିକୁ ଟିଏମ୍ସି ହଜମ କରିଦେଇଛି ବୋଲି ଜେପି ନଡ୍ଡା କହିଛନ୍ତି। ମନରେଗା ଓ ପିଏମ୍ ଆୱାସ ଯୋଜନାରେ ଆସିଥିବା କେନ୍ଦ୍ରୀୟ ପାଣ୍ଠିକୁ ରାଜ୍ୟ ଟିଏମ୍ସି ହଜମ କରିଦେଉଛି ବୋଲି ନଡ୍ଡା ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ମନରେଗା ଓ ପିଏମ୍ ଆୱାସ ଯୋଜନା ଦୁଇଟି ସାମାଜିକ କଲ୍ୟାଣକାରୀ ଯୋଜନା, ଯାହା ଗରିବ ଲୋକମାନଙ୍କର ଉତ୍ଥାନ ପାଇଁ ହୋଇଛି। ହେଲେ ଟିଏମ୍ସି ଏହାର ଟଙ୍କା ଖାଇଯାଇଛି ବୋଲି ନଡ୍ଡା କହିବା ସହ କେନ୍ଦ୍ର ପାଣ୍ଠି ଦେଉ ନାହିଁ ବୋଲି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।
ଏନେଇ ନଡ୍ଡା କହିଛନ୍ତି “ ପିଏମ୍ ଆୱାସ ଯୋଜନା ଓ ମନରେଗା ପାଇଁ ଆସୁଥିବା କେନ୍ଦ୍ର ପାଣ୍ଠିକୁ ରାଜ୍ୟରେ ଟିଏମ୍ସି ଦ୍ୱାରା ହଡ଼ପ କରାଯାଉଛି। କିନ୍ତୁ କେନ୍ଦ୍ର ସରକାର ରାଜ୍ୟକୁ ଟଙ୍କା ଦେଉ ନାହାନ୍ତି ବୋଲି ଅଭିଯୋଗ କରାଯାଉଛି। ଯାହାର ତଦନ୍ତ ଆରମ୍ଭ ହୋଇଛି।” ପିଟିଆଇକୁ ସୂଚନା ଦେଇ ଏପରି କହିଛନ୍ତି ନଡ୍ଡା।
ବିଜେପି ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳ ବର୍ଷେ ବଢ଼ିବା ପରେ ନଡ୍ଡା ପ୍ରଥମଥର ପାଇଁ ଆଜି କୋଲକାତାରେ ପହଞ୍ଚିଥିଲେ। ଏହି ଅବସରରେ ସେ ଟିଏମ୍ସି ଉପରେ ଆକ୍ରମଣ କରିବା ସହ ମୁଖ୍ୟମନ୍ତ୍ରୀ ମମତା ସମ୍ବିଧାନ ଅନୁସାରେ କାମ କରନ୍ତୁ ବୋଲି ନଡ୍ଡା ଉପଦେଶ ଦେଇଥିଲେ।