ପାରଦ ଉପରମୁହାଁ; ଟିଟିଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା

Published By : Prameya-News7 Bureau | February 20, 2024 IST

ଭୁବନେଶ୍ୱର, ୨୦/୨: ଗ୍ରୀଷ୍ମ ଆରମ୍ଭ ହୋଇନି ହେଲେ ଟିଟିଲାଗଡ଼ ତତଲା ସହର ପାଲଟିଲାଣି । ରାଜ୍ୟରେ ଦିନର ତାପମାତ୍ରା ସ୍ବଭାବିକ ଠାରୁ ଅଧିକ ରହିଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ପାର୍ କରିଛି । ସେହିପରି ଭବାନୀପାଟଣାରେ ମଧ୍ୟ ପାରଦ ୩୬ ଡିଗ୍ରୀ ପାର୍‌ ହୋଇଛି । ବଲାଙ୍ଗୀର ଓ  ଝାରସୁଗୁଡ଼ାରେ ୩୫ ଡିଗ୍ରୀ ଉପରେ ରହୁଛି । ଉଭୟ ଦିନ  ଓ ରାତି ତାପମାତ୍ରା ଆହୁରି ବଢ଼ିପାରେ ବୋଲି ପାଣିପାଗ  ବିଶେଷଜ୍ଞ ଆକଳନ କରିଛନ୍ତି ।

ସେପଟେ ୨୪ ତାରିଖରୁ ପଶ୍ଚିମା ଝଡ଼  ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ  ଉମାଶଙ୍କର ଦାସ କହିଛନ୍ତି,  କିଛି ସ୍ଥାନରେ ଦିନ ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ରହିବ । ଏବେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଛି । କିଛି ସ୍ଥାନରେ ରାତି ତାପମାତ୍ରା ଆଉ ୧ଡିଗ୍ରୀ ବଢ଼ିପାରେ । ପଶ୍ଚିମା ଝଡ଼  ପ୍ରଭାବରେ ୨୨ ତାରିଖରୁ କିଛି ସ୍ଥାନରେ ବର୍ଷା ହୋଇପାରେ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୨୩ ତାରିଖର ତାପମାତ୍ରା ସାମାନ୍ୟ କମିପାରେ । ୨୪ ଓ ୨୫ ତାରିଖରେ କିଛି ସ୍ଥାନରେ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ । ସୋମବାର ସୋନପୁର ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୪.୮, ମାଲକାନଗିରି ଓ ହୀରାକୁଦରେ ୩୪.୭, ନୟାଗଡ଼ରେ ୩୪.୫,  ଭୁବନେଶ୍ୱରରେ ୩୪.୪, ଅନୁଗୁଳରେ ୩୪.୧, ତାଳଚେରରେ ୩୪, ଫୁଲବାଣୀରେ ୩୩.୯, ସମ୍ବଲପୁରରେ ୩୩.୭, ଢେଙ୍କାନାଳରେ ୩୩.୬, ସୁନ୍ଦରଗଡ଼ରେ ୩୩.୪  ଡିଗ୍ରୀ ରେକର୍ଡ ହୋଇଛି । ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର  ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.