ଟିଟିଲାଗଡ଼ ସାତବହନୀ ଜଙ୍ଗଲ ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍

Published By : Prameya-News7 Bureau | August 12, 2018 IST

ଟିଟିଲାଗଡ଼ ୧୨/ ୮ : ଟିଟଲାଗଡ଼ ସାତବହନୀ ଜଙ୍ଗଲ ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍ ହୋଇଛି । ୪ ସନ୍ତାନର ଜନନୀଙ୍କୁ ପ୍ରେମ ବିବାହ ପରେ ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରିଛି । ମହିଳାଙ୍କୁ ଜଙ୍ଗଲ ମଧ୍ୟରେ ଦରମରା କରିବା ପରେ ଦୁର୍ବୃତ୍ତ ତାଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି ଦେଇ ବର୍ବରତାର ସୀମା ଡେଇଁ ଗଛରେ ତାଙ୍କ ବେକକୁ ବାନ୍ଧି ଦେଇଥିଲା । ଆଉ ତାଙ୍କ ବସ୍ତ୍ରକୁ ଜଙ୍ଗଲ ମଧ୍ୟରେ ପୋତି ଦେଇଥିଲା । ଭାବିଥିଲା ଲୁଗାପଟା ଶୁଂଘି ବନ୍ୟ ଜନ୍ତୁ ଆସି ମହିଳାଙ୍କୁ ଖାଇଦେବେ । ଯାହା ଫଳରେ ଆଉ ତାଙ୍କୁ ଚିହ୍ନି ହେବନି କି ସେ ଧରା ପଡ଼ିବନି । କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା । ଟିଟଲାଗଡ଼ ଗୁଲମି ଗାଁ ସାତବହନୀ ଜଙ୍ଗଲ ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍ ହୋଇଛି । ଯେଉଁ ମହିଳାଙ୍କ ମୃତଦେହ ସମ୍ପୂର୍ଣ୍ଣ ଉଲଗ୍ନ ଏବଂ ବେକ ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା, ତାଙ୍କ ପରିଚୟ ମିଳିଛି । ମହିଳା ହେଉଛନ୍ତି, ମାଣ୍ଡେଲା ଗାଁର ଭାରତୀ ବିନ୍ଧାଣୀ । ଆଉ ଏହି ଦୁର୍ବୃତ୍ତ ହିଁ ହେଉଛି ତାଙ୍କ ପ୍ରେମିକ ଓ ହତ୍ୟାକାରୀ । ଭାରତୀଙ୍କୁ ହତ୍ୟା କରିଥିବା ସନ୍ଦେହରେ ଟିଟଲାଗଡ଼ ଥାନା ଅନ୍ତର୍ଗତ ବାଗୋଡର ଗାଁର ହରେଶ ବାଗଙ୍କୁ ପୋଲିସ୍ ଅଟକ ରଖିଛି । ୪ଟି ସନ୍ତାନର ଜନନୀ ଥିଲେ ଭାରତୀ । ଦୁଇ ବର୍ଷ ତଳେ ତାଙ୍କ ସ୍ବାମୀ ମରି ଯାଇଛନ୍ତି । ପିଲାଙ୍କ ପାଇଁ ସେ ଗୁଜରାଟର ରାଜକୋଟ ଚାଲି ଯାଇଥିଲେ । ଆଉ ସେଠି ତାଙ୍କର ହରେଶଙ୍କ ସହ ହୋଇଥିଲା ପରିଚୟ । ୮ ମାସ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହା ଭାରତୀ ତାଙ୍କ ମାଆଙ୍କୁ କହିଥିଲେ । ଆଉ ଦୁହେଁ ବିବାହ କରିବେ ବୋଲି ମଧ୍ୟ ଜଣାଇ ଦେଇଥିଲେ । ଭାରତୀଙ୍କ ଭାଇ କହୁଛନ୍ତି, ଦୁଇ ମାସ ତଳେ ସେମାନେ ବିବାହ କରିଥିଲେ । କିନ୍ତୁ ଭାରତୀ, ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିବା ଜାଣିବା ପରେ ହିଁ ହରେଶ ତାଙ୍କୁ ମାରି ଦେଇଛି । ସେପଟେ ସ୍ବାମୀଙ୍କ ପରେ ସ୍ତ୍ରୀର ହତ୍ୟା … ୪ ଛୁଆ ଅନାଥ ହୋଇଗଲେ । ନାତିନାତୁଣୀଙ୍କ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ବାରତୀଙ୍କ ମାଆ । ପୋଲିସ୍ ଅଭିଯୁକ୍ତଙ୍କୁ ଧରିଛି ସତ, ହେଲେ ହତ୍ୟାକାଣ୍ଡ ଓ ହତ୍ୟାକାଣ୍ଡ ସ୍ଥଳର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଶ୍ଳେଷଣ କଲେ ଅନେକ ପ୍ରଶ୍ନ ଅସମାହିତ ରହିଯାଉଛି । ହରେଶ କଣ ଏକା ହତ୍ୟା କରିଛି ? ଯଦି ମାରିଦେବାର ଉଦ୍ଦେଶ୍ୟ ଥିଲା, ତେବେ ରାଜକୋଟରେ ନମାରି କାହିଁକି ଦୁହେଁ ଟିଟଲାଗଡ଼ ଆସିଥିଲେ? ହତ୍ୟାକାଣ୍ଡ ସ୍ଥଳରେ ତିନିଟି ଅଇଁଠା ଖଲି ପଡ଼ିଥିଲା । ଭାରତୀ ଓ ହରେଶ ଦୁଇଜଣ ଥିବା ବେଳେ ଆଉ ଗୋଟେ ଖଲିରେ କିଏ ଖାଇଲା ? ପୁଣି ଗୋଟେ କ୍ବାର୍ଟ ମଦ ବୋତଲ ଏବଂ ୨-୩ଟି ପ୍ଲାଷ୍ଟିକ୍ ଗ୍ଲାସ୍ ପଡ଼ିଥିଲା । ହରେଶ କଣ ପୂରା ବୋତଲଟା ଏକା ପିଇଥିଲା ନା ଆଉ କିଏ ତାହା ସହ ଥିଲେ ? ଏସବୁ ପରେ କେଉଁ ପରିସ୍ଥିତିରେ ଭାରତୀ, ହରେଶ ସହ ରାତି ଅଧରେ ଜଙ୍ଗଲ ରାସ୍ତାରେ କୁଆଡ଼େ ଯାଉଥିଲେ ? କେମିତି ସେ ଭାରତୀଙ୍କୁ ତାଙ୍କ ଘରୁ ଭୁଲାଇକି ଆଣିଲା ? ଦୁଇ ଦିନ ମଧ୍ୟରେ ନର୍ଲା ଥାନା ପୋଲିସ୍, ଅଭିଯୁକ୍ତ ହତ୍ୟାକାରୀ ପାଖରେ ପହଞ୍ଚିଛି ସତ । ହେଲେ ହତ୍ୟାକାଣ୍ଡର ଆମୂଳଚୂଳ ଟିକିନିଖି ତଦନ୍ତ କଲେ ହିଁ ହତ୍ୟାକାରୀକୁ ଦୃଷ୍ଟାନ୍ତମୂଳକ ସଜା ମିଳିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.