ଯେସାକୁ ତେସା ! ବ୍ରିଟେନ୍‌ରୁ ଆସିଥିବା ଲୋକଙ୍କ ଉପରେ ଲାଗୁ ହେଲା କଡା ନିୟମ, ୭୦୦ ଜଣଙ୍କୁ ପଠାଗଲା କ୍ଵାରେଣ୍ଟାଇନ୍

Published By : Prameya-News7 Bureau | October 04, 2021 IST

ନୂଆଦିଲ୍ଲୀ ୦୪।୧୦: ବ୍ରିଟେନ୍‌ରୁ ଭାରତ ଆସୁଥିବା ଲୋକଙ୍କ ପାଇଁ କଠୋର ନିୟମ ଆରମ୍ଭ ହୋଇ ଯାଇଛି। ସୋମବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନରେ ଅବତରଣ କରିଥିବା ୭୦୦ ଜଣଙ୍କୁ ୧୦ ଦିନିଆ ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍‌ରେ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଏହି ସମସ୍ତ ଲୋକଙ୍କ ଆରଟିପିସିଆର ଟେଷ୍ଟ ମଧ୍ୟ କରାଯାଇଛି। ନିକଟ ଦିନରେ ଭାରତ ସରକାରଙ୍କ ପକ୍ଷରୁ ଏହି ନିୟମ ଘୋଷଣା କରାଯାଇଥିଲା। ଏହାରି ଆଧାରରେ ବ୍ରିଟେନ୍‌ରୁ ଆସୁଥିବା ଯାତ୍ରୀଙ୍କୁ ୧୦ ଦିନିଆ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ। ନୂତନ ନିୟମ ରବିବାର ରାତି ୧୨ଟାରୁ ଲାଗୁ ହୋଇ ଯାଇଛି।

ଜଣେ ବରିଷ୍ଠ  ଅଧିକାରୀଙ୍କ ଅନୁଯାୟୀ, ସୋମବାର ଅପରାହ୍ନ ସୁଦ୍ଧା ୟୁକେରୁ ତିନୋଟି ବିମାନ ଆଇଜିଆଇ ବିମାନ ବନ୍ଦରରେ ଅବତରଣ କରିଛି। ଏଥିରେ ୭୦୦ ଯାତ୍ରୀ ଓହ୍ଲାଇଛନ୍ତି। ଏଥିରେ ଭାରତୀୟଙ୍କ ବ୍ୟତୀତ ବଡ ସଂଖ୍ୟାରେ ବ୍ରିଟିଶ ନାଗରିକ ମଧ୍ୟ ଅଛନ୍ତି। ନୂତନ ନିୟମ ଅନୁଯାୟୀ, ବ୍ରିଟେନ୍‌ରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଭାରତ ଆସିବା ମାତ୍ରେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ଜରୁରୀ। ଏହା ବ୍ୟତୀତ ବିମାନ ବନ୍ଦରରେ ଥରୁଟିଏ କରୋନା ଟେଷ୍ଟ କରାଯିବ। ଅଧିକାରୀ କହିଛନ୍ତି, ଏହ ପୂରା ପ୍ରକ୍ରିୟା ପାଇଁ ଦିଲ୍ଲୀ ସରକାରଙ୍କ ଗୋଟିଏ ଟିମ୍‌କୁ ବିମାନ ବନ୍ଦରରେ ନିୟୋଜିତ କରାଯାଇଛି। ଏହି ଟିମ୍ ଯାତ୍ରୀଙ୍କ ଠିକଣା ବିଷୟରେ ସୂଚନା ରଖୁଛନ୍ତି ଏବଂ ଦିଲ୍ଲୀରେ କେଉଁଠି କି ଯାଉଛନ୍ତି ଏବଂ ରହୁଛନ୍ତି ତାର ସୂଚନା ସଂଗ୍ରହ କରୁଛନ୍ତି।

ଏହା ବ୍ୟତୀତ ଆଉ ଏକ ଟିମ୍‌କୁ ମଧ୍ୟ ମୁତୟନ କରାଯାଇଛି। ଏହି ଟିମ୍ ଏହା ସୁନିଶ୍ଚିତ କରୁଛି ଯେ, କ୍ଵାରେଣ୍ଟାଇନ୍‌ ନିୟମର ପାଳନ ହେଉଛି କି ନାହିଁ। ସୂଚନାଯୋଗ୍ୟ, ବ୍ରିଟିଶ ସରକାର ଭାରତରେ ଦିଆଯାଉଥିବା କରୋନା ଭ୍ୟାକ୍ସିନ କୋଭିସିଲ୍ଡ ସାର୍ଟିଫିକେଟ୍‌କୁ ମାନ୍ୟତା ଦେଇ ନାହିଁ। ଏହି କାରଣରୁ ଭାରତରୁ ବ୍ରିଟେନ୍ ଯାଉଥିବା ଯାତ୍ରୀଙ୍କୁ ମଧ୍ୟ ୧୦ ଦିନ କ୍ଵାରେଣ୍ଟାଇନ୍ ରହିବା ବାଧ୍ୟତାମୂଳକ କରାଯାଇଛି। ଭାରତ ଏଥିରୁ କୋହଳ ଦେବାକୁ ଦାବି କରିଥିଲା। ହେଲେ ବ୍ରିଟେନ୍ ସରକାର କର୍ଣ୍ଣପାତ ନକରିବାରୁ ଭାରତ ସରକାର  ଯେସାକୁ ତେସା ନୀତିରେ ଦେଶରେ ବ୍ରିଟେନ୍‌ରୁ ଆସୁଥିବା ଲୋକଙ୍କ ପାଇଁ ନୂତନ ନିୟମ ଲାଗୁ କରିଦେଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.