ବର୍ଷକୁ ୪,୪୧୧ କୋଟି ଆୟ କରିବ ତିରୁପତି ମନ୍ଦିର, ବିକିବ ୫୦୦ କୋଟି ଟଙ୍କାର ମହାପ୍ରସାଦ
22/03/2023 at 7:36 PM

ହାଇଦ୍ରାବାଦ: ପ୍ରସିଦ୍ଧ ତିରୁପତି ମନ୍ଦିର ଏପ୍ରିଲ ୧ରୁ ଅରମ୍ଭ ହେଉଥିବା ନୂତନ ଆର୍ଥିକ ବର୍ଷରେ ମୋଟ୍ ୪,୪୧୧ କୋଟି ଟଙ୍କାର ରାଜସ୍ବ ପ୍ରାପ୍ତି ଲକ୍ଷ୍ୟ ରଖିଛି। ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାର ତିରୁମାଲାରେ ସ୍ଥିତ ଭଗବାନ ଭେଙ୍କଟେଶ୍ଵରଙ୍କ ମନ୍ଦିରକୁ ପ୍ରତିବର୍ଷ କୋଟି କୋଟି ଶ୍ରଦ୍ଧାଳୁ ପହଞ୍ଚି ଥାଆନ୍ତି। ମନ୍ଦିରର ସଞ୍ଚାଳନ ତିରୁମାଲା ତିରୁପତି ଦେବସ୍ଥାନମ ଟ୍ରଷ୍ଟ ଦ୍ଵାରା କରାଯାଏ। ଟ୍ରଷ୍ଟର ସଭାପତି ସୁବା ରେଡ୍ଡୀ କହିଛନ୍ତି ମନ୍ଦିରର ବାର୍ଷିକ ବଜେଟ୍କୁ ନିକଟରେ ମଞ୍ଜୁରୀ ମିଳିଥିଲେ ହେଁ ଏମଏଲସି ନିର୍ବାଚନ ପାଇଁ ଲାଗିଥିବା ନିର୍ବାଚନ ଆଚରଣ ବିଧି ଯୋଗୁଁ ଫଣ୍ଡ କଢାଯାଇ ପାରୁନାହିଁ।
ଚଳିତ ଆର୍ଥିକ ବର୍ଷ ତୁଳନାରେ ନୂତନ ବର୍ଷର ରାଜସ୍ଵ ଲକ୍ଷ୍ୟପ୍ରାପ୍ତି୧୩୧୫ କୋଟି ଟଙ୍କାରୁ ଅଧିକ ରହିଛି। ଚଳିତ ବର୍ଷ ଏହା ୩୦୯୬ ଟଙ୍କା ରହିଥିଲା, ଯାହା ଏବେ ବୃଦ୍ଧି ଘଟିଛି। ରେଡ୍ଡୀ କହିଛନ୍ତି, ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଥିପାଇଁ ରାଜସ୍ଵ ଲକ୍ଷ୍ୟପ୍ରାପ୍ତି ବୃଦ୍ଧି କରାଯାଇଛି। କରୋନା ସମୟ ଅତିକ୍ରାନ୍ତ ପରେ ଏବେ ମନ୍ଦିରକୁ ମିଳୁଥିବା ଚାନ୍ଦାର ପରିମାଣ ବଢିଛି। କରୋନା ପୂର୍ବରୁ ମନ୍ଦିରକୁ ପ୍ରତି ବର୍ଷ ୧୨୦୦ କୋଟି ଟଙ୍କା ଦାନ ରୂପେ ମିଳୁଥିଲା। ତେବେ କରୋନା ଯୋଗୁଁ ଏଥିରେ ହ୍ରାସ ଘଟିଥିଲା।
୫୦୦ କୋଟିର ପ୍ରସାଦ ବିକିବାକୁ ଲକ୍ଷ୍ୟ
ରେଡ୍ଡୀ କହିଛନ୍ତି, ଚଳିତ ବର୍ଷ ମନ୍ଦିରରେ ଚଢାଯାଉଥିବା ନଗଦ ଭାବେ ୯୦୦ କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ଆମର ଅନୁମାନ ୧୫୮୮ କୋଟି ଟଙ୍କା ମିଳିପାରେ। ପୁଣି ୯୯୦ କୋଟି ଟଙ୍କାର ବ୍ୟାଙ୍କ ଜମା ଉପରେ ସୁଧ ମିଳିପାରେ। ଏହା ବ୍ୟତୀତ ୫୦୦ କୋଟି ଟଙ୍କାର ପ୍ରସାଦ ବିକିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ଵତନ୍ତ୍ର ଦର୍ଶନ ଟିକେଟ୍ରୁ ୩୩୦ କୋଟି ଟଙ୍କା ଆୟ ହୋଇପାରେ ବୋଲି ଦେବସ୍ଥାନମ ଟ୍ରଷ୍ଟର ସଭାପତି କହିଛନ୍ତି।