ଭଗବାନଙ୍କ ନିବାସ ବି ନିରାଶ କଲେ : ସବୁଠୁ ଧନୀ ତିରୁପତି ବାଲାଜୀ ମନ୍ଦିରର ୧୩୦୦ କର୍ମଚାରୀଙ୍କ ଚାକିରୀ ରିନ୍ୟୁ ହେଲାନାହିଁ

Published By : Prameya-News7 Bureau | May 03, 2020 IST

ତିରୁପତି ୩।୫: ଦେଶବ୍ୟାପୀ ଜାରି ରହିଥିବା ଲକ୍ ଡାଉନ୍ ଦେଶର ସବୁଠାରୁ ଧନୀ ମନ୍ଦିର ଉପରେ ମଧ୍ୟ ପ୍ରଭାବ ପକାଇଛି । ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ କାମ କରୁଥିବା ୧୩୦୦ ଚୁକ୍ତିଭିତ୍ତିକ କର୍ମଚାରୀ ହରାଇଲେ ଚାକିରୀ । ଏହି କର୍ମଚାରୀମାନଙ୍କର ଚୁକ୍ତି ଅପ୍ରେଲ ମାସର ୩୦ତାରିଖରେ ଶେଷ ହୋଇଛି । ତେବେ ମନ୍ଦିର ପ୍ରଶାସନ ମେ’ ୧ରୁ ଚୁକ୍ତିନାମା ରିନ୍ୟୁ କରିବାକୁ ମନା କରିଦେଇଛନ୍ତି । ମନ୍ଦିର ପ୍ରଶାସନ କହିଛି ଯେ, ଲକ୍ ଡାଉନ୍ ଯୋଗୁଁ କାମ ବନ୍ଦ ହୋଇଯାଇଛି । ତେଣୁ ବର୍ତ୍ତମାନ ଏହି ୧୩୦୦ କର୍ମଚାରୀଙ୍କ ଚୁକ୍ତିନାମା ୩୦ ଅପ୍ରେଲଠାରୁ ବୃଦ୍ଧି ହୋଇପାରିବ ନାହିଁ ।

ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଟ୍ରଷ୍ଟ ତରଫରୁ ବିଷ୍ଣୁ ନିବାସମ୍, ଶ୍ରୀନିବାସମ୍ ଏବଂ ମାଧବମ୍ ନାମକ ତିନୋଟି ଗେଷ୍ଟହାଉସ୍ ପରିଚାଳନା କରାଯାଏ । ଚାକିରୀ ରିନ୍ୟୁ ହୋଇନଥିବା ସମସ୍ତ ୧୩୦୦ କର୍ମଚାରୀ ଏହି ଗେଷ୍ଟ ହାଉସରେ ବହୁ ବର୍ଷ ଧରି କାମ କରିଆସୁଥିଲେ ।

ଏକ ରିପୋର୍ଟ ଅନୁଯାୟୀ, ତିରୁପତି ବାଲାଜୀ ମନ୍ଦିରର ଅଧ୍ୟକ୍ଷ ଓ୍ବାଇ.ଭି. ସୁବା ରେଡ୍ଡୀ କହିଛନ୍ତି ଯେ, ଲକ୍ ଡାଉନ୍ ଯୋଗୁଁ ସମସ୍ତ ଗେଷ୍ଟହାଉସ୍ ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ଏହି କର୍ମଚାରୀଙ୍କ ଚୁକ୍ତି ରିନ୍ୟୁ କରାଯାଇନାହିଁ । ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ନିୟମିତ କର୍ମଚାରୀଙ୍କୁ କୌଣସି କାମ ଦିଆଯାଇ ନାହିଁ । ସେହିଭଳି ଟିଟିଡି ଟ୍ରଷ୍ଟ ମୁଖପାତ୍ର ଟି. ରବି କହିଛନ୍ତି ଯେ, ଆଇନ ଅନୁଯାୟୀ ସମସ୍ତ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟ ବନ୍ଦ ଯୋଗୁଁ କର୍ମଚାରୀମାନଙ୍କୁ ବାହାର କରାଯିବା ନେଇ ନିଷ୍ପତ୍ତି ନେବାକୁ ପଡିଲା ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ବିସ୍ତାର ଯୋଗୁଁ ତିରୁପତି ବାଲାଜୀ ମନ୍ଦିର ମାର୍ଚ୍ଚ ୨୦ରୁ ବନ୍ଦ ରହିଥିଲା । କିନ୍ତୁ ମନ୍ଦିରରେ ଦୈନିକ ରୀତିନୀତି ପୁରୋହିତମାନେ ପାଳନ କରାଯାଉଛି । ଚଳିତ ଆର୍ଥିକ ବର୍ଷ ପାଇଁ ଏହି ମନ୍ଦିରର ବଜେଟ୍ ରହିଛି ୩୩୦୯ କୋଟି ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.