ବଦଳିଗଲା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ର ସମୟ, ଭାରତୀୟ ପ୍ରଶଂସକଙ୍କ ପାଇଁ ବଡ ନିଷ୍ପତ୍ତି

Published By : Prameya-News7 Bureau | June 26, 2022 IST

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜୁଲାଇ ୧ରୁ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌କୁ କ୍ରିକେଟ୍ ପ୍ରେମୀ ଚାତକପରି ଚାହିଁ ରହିଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଏହା ହେଉଛି ନିର୍ଣ୍ଣାୟକ ମୁକାବିଲା। ଗତ ବର୍ଷ ଖେଳାଯାଇଥିବା ସିରିଜର ଏହା ହେଉଛି ଶେଷ ମ୍ୟାଚ୍। ଏ ନେଇ ଦୁଇ ଦଳ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହା ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମ୍ୟାଚ୍ ସମୟରେ ପରିବର୍ତ୍ତନ କରିଛନ୍ତି। ଭାରତୀୟ ପ୍ରଶଂସକଙ୍କ ପାଇଁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମ୍ୟାଚ୍‌କୁ ଅଧା ଘଣ୍ଟା ଆଗରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଯଦ୍ଵାରା ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ଖେଳାଯାଇ ପାରିବ।

ଡେଲିମେଲ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜୁଲାଇ ୧ରୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚ୍ ଏବେ ସ୍ଥାନୀୟ ସମୟ ସକାଳ ୧୦ଟା ୩୦ରୁ ଆରମ୍ଭ ହେବ। ସାଧାରଣତଃ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥାଏ। ତେବେ ସମୟ ପରିବର୍ତ୍ତନ ପରେ ଭାରତୀୟ ସମୟ ଅନୁସାରେ ଟେଷ୍ଟ ମ୍ୟାଚ୍ ଅପରାହ୍ନ ୩ଟାରୁ ଆରମ୍ଭ ହେବ।

ପୂର୍ବେ ଏହି ଟେଷ୍ଟ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବାର ଥିଲା। ଯଦି ମ୍ୟାଚ୍ ୩ଟାରୁ ଆରମ୍ଭ ହୁଏ ତେବେ ରାତି ୧୦ଟା ସୁଦ୍ଧା ଖେଳ ଶେଷ ହେବ। ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ଭାରତରେ ବସିଥିବା ଦର୍ଶକ ସହଜରେ ଦୀର୍ଘ ସମୟ ଧରି ମ୍ୟାଚ୍ ଦେଖି ପାରିବେ।

ଭାରତରେ ଟେଷ୍ଟ ମ୍ୟାଚ୍ ସାଧାରଣତଃ ପୂର୍ବାହ୍ନ ୯ଟା୩୦ରେ ଆରମ୍ଭ ହୁଏ ଏବଂ ସନ୍ଧ୍ୟା ୫ଟାରେ ଶେଷ  ହଏ। ମାତ୍ର ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍‌ ଖେଳର ସମୟ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟ ୬ଟା ଯାଏଁ ରହିଛି। ଦୁଇ ଦେଶ ମଧ୍ୟରେ ଏକ ମାତ୍ର ଟେଷ୍ଟ ଏଜବାଷ୍ଟନରେ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସଂପ୍ରତି ୨-୧ରେ ଅଗ୍ରଣୀ ହାସଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.