TIMEର ବେଷ୍ଟ ୧୦୦ କମ୍ପାନୀଙ୍କ ସୂଚୀ ଜାରି, ତାଲିକାରେ ଅଛନ୍ତି ଏହି ସବୁ ଭାରତୀୟ କମ୍ପାନୀ
16/09/2023 at 9:39 PM

ନୂଆଦିଲ୍ଲୀ ୧୬।୯: ଟାଇମ୍ ମ୍ୟାଗଜିନ ୨୦୨୩ ବର୍ଷ ନିମନ୍ତେ ବିଶ୍ୱର ବେଷ୍ଟ ୧୦୦ କମ୍ପାନୀଙ୍କ ସୂଚୀ ଜାରି କରିଛନ୍ତି। ଏହି ସୂଚୀରେ କେବଳ ଗୋଟିଏ ଭାରତୀୟ କମ୍ପାନୀକୁ ସ୍ଥାନ ମିଳିଛି। ଏହି କମ୍ପାନୀ ହେଉଛି ଇନଫୋସିସ୍। ଦିଗ୍ଗଜ ଆଇଟି କମ୍ପାନୀ ଇନଫୋସିସ୍ ଏକାକୀ ଏଭଳି ଭାରତୀୟ କମ୍ପାନୀ ଯାହାକୁ ଏହି ସୂଚୀରେ ସ୍ଥାନ ମିଳିଛି। ମୋଟ ୭୫୦ ବୈଶ୍ୱିକ କମ୍ପାନୀଙ୍କ ତାଲିକାରେ ଇନଫୋସିସ୍ର ସ୍ଥାନ ୬୪ରେ ରହିଛି।
୨୦୨୦ ମସିହା ତଥ୍ୟ ଅନୁସାରେ ଇନଫୋସିସ ଭାରତର ଦ୍ୱିତୀୟ ସବୁଠୁ ବଡ଼ ଆଇଟି କମ୍ପାନୀରେ ପରିଣତ ହୋଇଥିଲା। ସାରା ବିଶ୍ୱରେ ଏହାର ୩ ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି। ଟାଇମ ମ୍ୟାଗଜିନ ଅନୁସାରେ ବିଶ୍ୱର ଟପ ୪ କମ୍ପାନୀଙ୍କ ମଧ୍ୟରେ ମାଇକ୍ରୋସଫ୍ଟ, ଆପଲ, ଗୁଗଲର ମାଲିକାନା ହକ ଥିବା ଆଲଫାବେଟ୍ ଓ ଫେସବୁକ୍ର ମାଲିକାନା ହକ କମ୍ପାନୀ ମେଟା ଅଛନ୍ତି। ତେବେ ମ୍ୟାଗଜିନର ୭୫୦ ଟପ କମ୍ପାନୀଙ୍କ ସୂଚୀରେ ଭାରତୀୟ ଆଇଟି କମ୍ପାନୀ ୱିପ୍ରୋ ମଧ୍ୟ ଅଛନ୍ତି। ତାଲିକାର ୧୭୪ ତମ ସ୍ଥାନରେ ୱିପ୍ରୋ ଥିବା ବେଳେ ୨୧୦ ତମ ସ୍ଥାନରେ ଆନନ୍ଦ ମହିନ୍ଦ୍ରାଙ୍କ ମହିନ୍ଦ୍ରା ଗ୍ରୁପ ରହିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିର ନାମ ମଧ୍ୟ ଏହି ତାଲିକାରେ ଅଛି। ଏହି କମ୍ପାନୀକୁ ଟାଇମ୍ସ ମ୍ୟାଗଜିନରେ ୨୪୮ତମ ସ୍ଥାନ ମିଳିଛି। ସେହିପରି ଏଚସିଏଲ ଟେକ୍ନୋଲଜି ଏହି ସୂଚୀର ୨୬୨ତମ ସ୍ଥାନ ମିଳିଥିବା ବେଳେ ଏଚଡିଏଫସି ବ୍ୟାଙ୍କକୁ ୪୧୮ତମ ସ୍ଥାନ ମିଳିଛି। ଆଇଟିସିକୁ ଏହି ସୂଚୀରେ ୬୭୨ତମ ସ୍ଥାନ ମିଳିଛି। କର୍ମଚାରୀଙ୍କ ସନ୍ତୋଷ ହିସାବରେ ସେମାନଙ୍କ ଫିଡବ୍ୟାକ୍ ନେଇ ବିଶ୍ୱର ଟପ୍ କମ୍ପାନୀଙ୍କ ସୂଚୀ ପ୍ରସ୍ତୁତ କରନ୍ତି ଟାଇମ୍ସ।
ଏହି ତାଲିକା ତିଆରି କରିବା ପାଇଁ କମ୍ପାନୀମାନଙ୍କର ୩ ବର୍ଷର ଡାଟା ଅଧ୍ୟୟନ କରାଯାଇଥାଏ। ଏହା ଛଡା ଏହି ସୂଚୀରେ ସେହି କମ୍ପାନୀମାନଙ୍କୁ ସ୍ଥାନିତ କରାଯାଇଛି ଯେଉଁ କମ୍ପାନୀମାନଙ୍କର ବାର୍ଷିକ ଆୟ ୧୦ କୋଟି ଡଲାର ବା ତଦୁର୍ଦ୍ଧ୍ୱ । ଏହା ଛଡା କେବଳ ସେହି କମ୍ପାନୀ ସୂଚୀରେ ସ୍ଥାନୀତ ହୋଇଛନ୍ତି ଯେଉଁମାନେ ୨୦୨୦-୨୦୨୨ ମଧ୍ୟରେ ପଜେଟିଭ ଗ୍ରୋଥ ହାସଲ କରିଛନ୍ତି।