ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କିଙ୍କୁ Times ମ୍ୟାଗଜିନ ବାଛିଲା ପର୍ସନ ଅଫ ଦି ଇୟର, ଯୁଦ୍ଧରେ ପୁଟିନଙ୍କୁ ଦେଉଛନ୍ତି ଟକ୍କର
7/12/2022 at 8:28 PM

ନୂଆଦିଲ୍ଲୀ ୭।୧୨: ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କିଙ୍କୁ ବିଶ୍ୱପ୍ରସିଦ୍ଧ ପତ୍ରିକା ଟାଇମ ‘ପର୍ସନ ଅଫ ଦି ଇୟର ୨୦୨୨’ ଘୋଷଣା କରିଛି। ସଦ୍ୟ ପ୍ରକାଶିତ ସଂସ୍କରଣରେ ଟାଇମ ମ୍ୟାଗଜିନ ଜେଲେଂସ୍କିଙ୍କୁ କଭର ପେଜ୍ରେ ସ୍ଥାନ ଦେଇଛି। ଋଷିଆ-ୟୁକ୍ରେନ ଯୁଦ୍ଧରେ ଜେଲେଂସ୍କି ଗତ ୧୦ ମାସ ହେଲା ଋଷିଆ ବିରୋଧରେ ପ୍ରଖର ସ୍ୱର ହୋଇ ଛିଡା ହୋଇଛନ୍ତି। ଯୁଦ୍ଧରେ ଜେଲେଂସ୍କି ଧୈର୍ଯ୍ୟ ଓ ଗମ୍ଭୀରତାର ପରିଚୟ ଦେଇ ୟୁକ୍ରେନଠାରୁ ଆକାରରେ ଅନେକ ଗୁଣା ବଡ଼ ଋଷିଆ ସେନାର ମୁକାବିଲା କରୁଥିବା ୟୁକ୍ରେନ ସେନା ସହ ପାଦ ମିଳାଇ ଛିଡା ହୋଇଛନ୍ତି।
ଅନ୍ତର୍ଜାତୀୟ ମଞ୍ଚରେ ଜେଲେଂସ୍କି ୟୁକ୍ରେନର ଶ୍ୱରକୁ ଶାଣିତ କରିଛନ୍ତି ଓ ୟୁକ୍ରେନ ଉପରେ ଯୁଦ୍ଧ ଥାପିଥିବାରୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ପଦକ୍ଷେପକୁ କଡ଼ା ନିନ୍ଦା କରିବା ସହ ପୁଟିନଙ୍କୁ ଆକ୍ରମଣକାରୀ ବୋଲି ମଧ୍ୟ କହୁଛନ୍ତି। ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଟାଇମ ପତ୍ରିକା ଲେଖିଛି ଯେ ରାଷ୍ଟ୍ରପକି ଜେଲେଂସ୍କି ନିଜ ସୁରକ୍ଷାକୁ ପରୁଆ ନକରି ନିଜକୁ ୟୁଦ୍ଧରେ ସମ୍ପୂର୍ଣ୍ଣ ନିୟୋଜିତ କରିଛନ୍ତି। ସେ ଲଗାତାର ସୈନିକଙ୍କ ମଧ୍ୟକୁ ଯାଉଛନ୍ତି, ନିଜ ଦେଶରେ ଟ୍ରେନରେ ଯାତ୍ରା କରୁଛନ୍ତି ଓ ଏହି ଯାତ୍ରା କାଳରେ ସେ ଯୁଦ୍ଧର ସବୁ ଅପଡେଟ୍ ମଧ୍ୟ ରଖୁଛନ୍ତି। ଟାଇମ ମ୍ୟାଗଜିନ ତାଙ୍କର ଖେରାସନ ଗସ୍ତର ମଧ୍ୟ ଉଲ୍ଲେଖ କରିଛି।

କେବଳ ଏତିକି ନୁହେଁ ଜେଲେଂସ୍କି ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ବେଶ ଦୃଢତାର ସହ ନିଜ ଦେଶ ଲାଗି ତର୍କ ରଖୁଛନ୍ତି। ନିକଟରେ ଜେଲଂସ୍କି ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଲନୀକୁ ସମ୍ବୋଧିତ କରିଛନ୍ତି। ଏହା ଛଡା ସେ ଦାଭୋସରେ ଅନୁଷ୍ଠିତ ୱାର୍ଲଡ ଇକୋନମିକ ଫୋରମ ଓ ମାଦ୍ରିଦରେ ଅନୁଷ୍ଠିତ ନାଟୋ ଦେଶଙ୍କ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଟାଇମ ମ୍ୟାଗଜିନ ଅନୁସାରେ ଯୁଦ୍ଧ ଆରମ୍ଭର ପ୍ରଥମ ସପ୍ତାହରେ ଜେଲଂସ୍କି ଇୟୁରୋପିୟନ ପାର୍ଲ୍ୟାମେଣ୍ଟକୁ ମଧ୍ୟ ସମ୍ବୋଧିତ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କି ଏକଦା ଏକ ହିଟ୍ କମେଡି ସୋର ଅଭିନେତା ଥିଲେ। ୨୦୧୯ରେ ସେ ରାଷ୍ଟ୍ରପତି ନିର୍ବାଚିତ ହେବା ପୂର୍ବରୁ ୪୪ ବର୍ଷ ବୟସ୍କ ଜେଲେଂସ୍କି ପଲିଟିକାଲ ସଟାୟାର ‘ସର୍ଭେଣ୍ଟ ଅଫ ଦି ପ୍ୟୁପିଲ’ରେ ଜଣେ ସ୍କୁଲ ଟିଚର ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଏହି ସୋ ନେଟ୍ ଫ୍ଲିକ୍ସରେ ମଧ୍ୟ ପ୍ରସାରିତ ହୋଇଥିଲା। ଏଥିରେ ସରକାରର ପରିହାସ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ରାଷ୍ଟ୍ରପତି ହେବାକୁ ପଡିଛି।

ଭୋଲଦେମୀର ଜେଲଂସ୍କିଙ୍କ ଜନ୍ମ ୨୫ ଜାନୁୟାରୀ ୧୯୭୮ରେ ତତ୍କାଳୀନର ୟୁଏସଏସଆରରେ ହୋଇଥିଲା। ସେ ୪ ବର୍ଷର ହୋଇଥିବା ବେଳେ ତାଙ୍କ ପରିବାର ଏର୍ଡେନେଟ୍ ମଙ୍ଗୋଲିଆ ସିଫ୍ଟ ହୋଇଯାଇଥିଲା। ସେହିଠାରେ ହିଁ ତାଙ୍କର ସ୍କୁଲ ପାଠ ପଢା ଆରମ୍ଭ ହୋଇଥିଲା। ୟୁକ୍ରେନର ନିପ୍ରପେଟ୍ରୋସ ଅଞ୍ଚଳର ଅନ୍ୟ ଲୋକଙ୍କ ପରି ତାଙ୍କୁ ମଧ୍ୟ ଋଷିୟ ଭାଷା ଶିକ୍ଷା ସହ ୟୁକ୍ରେନୀୟ ଭାଷା ମଧ୍ୟ ଶିକ୍ଷା କରିବାକୁ ପଡିଥିଲା।