ପାକିସ୍ତାନ ପାଇଁ କାଳ ସାଜିଲା ତାଲିବାନ, ଗୋଟିଏ ବର୍ଷରେ ୧୦୦ ଆକ୍ରମଣ
11/01/2023 at 6:10 PM

ନୂଆଦିଲ୍ଲୀ: ତାଲିବାନକୁ ପୋଷିଥିବା ପାକିସ୍ତାନ ବୋଧହୁଏ କେବେ ଏହା ଭାବି ପାରିନଥିବ ଯେ ପୋଷିଥିବା ସାପ ବି ଦିନେ ତାକୁ ଚୋଟ ମାରିବ। ଆଫଗାନିସ୍ତାନରେ ତାଲିବାନ ସରକାରକୁ ସମର୍ଥନ କରି ଆସିଥିବା ପାକିସ୍ତାନ ଏବେ ମର୍ମେ ମର୍ମେ ବୁଝି ପାରୁଥିବ ଯେ, ତାଲିବାନ ତା ପାଇଁ ଏବେ ବଡ ସମସ୍ୟା ପାଲଟିଛି। ପାକିସ୍ତାନ ଏବଂ ଖୈବର ପଖତୁନଖଓ୍ଵାରେ ଗତ କିଛି ଦିନରେ ଆତଙ୍କୀ ଆକ୍ରମଣ ବଢିବାରେ ଲାଗିଛି। କୁହାଯାଉଛି ଆକ୍ରମଣ ପଛରେ ତାଲିବାନୀ ସଂଗଠନ ତେହରିକ ଏ ତାଲିବାନ ପାକିସ୍ତାନ(ଟିଟିପି)ର ଷଡଯନ୍ତ୍ର ରହିଛି।
ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଟିଟିପି ଗତ ବର୍ଷ ୧୦୦ରୁ ଅଧିକ ଆକ୍ରମଣ ଘଟଣା ଘଟାଇଛି। ଅଧିକାଂଶ ଆକ୍ରମଣ ଅଗଷ୍ଟ ମାସ ପରେ ଘଟିଛି। ଟିଟିପି ପକ୍ଷରୁ ଗତ ବର୍ଷ ନଭେମ୍ବର ୨୮ରେ ଆନୁଷ୍ଠାନିକ ଭାବେ ଅସ୍ତ୍ର ବିରତି ସମାପ୍ତ କରିଥିଲା।
ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନ ଗଣମାଧ୍ୟମ ସହ ଆଲୋଚନା କରି ବର୍ତ୍ତମାନର ସରକାରଙ୍କୁ ତାଲିବାନ ପ୍ରତି ସତର୍କ ରହିବାକୁ ଅପିଲ୍ କରିଛନ୍ତି। ଇମ୍ରାନ ଖାନ କହିଛନ୍ତି, ବର୍ତ୍ତମାନର ସରକାର ପଖତୁନଖଓ୍ଵାରେ ପାକିସ୍ତାନୀ ସରକାର ବିରୋଧରେ ଜାରି ତାଲିବାନର ଷଡଯନ୍ତ୍ରକୁ ରୋକିବାରେ ବିଫଳ ହୋଇଛନ୍ତି। ସେ କହିଛନ୍ତି ପୋଲିସ୍ ଆତଙ୍କବାଦୀଙ୍କ ଅସ୍ତ୍ର ଶସ୍ତ୍ରର ମୁକାବିଲା କରି ପାରିବେ ନାହିଁ।