‘ନିର୍ଭୟା’ ମାମଲା: ଫାଶୀଦଣ୍ଡ ବିରୋଧରେ ଦୋଷୀଙ୍କ ହାତରେ ଆଉ ମାତ୍ର ୭ ଦିନ ସମୟ,ଜଣାଇ ଦେଲେ ଜେଲ କର୍ତ୍ତୃପକ୍ଷ

Published By : Prameya-News7 Bureau | October 31, 2019 IST

ନୂଆଦିଲ୍ଲୀ : ‘ନିର୍ଭୟା’ ମାମଲର ୪ ଦୋଷୀଙ୍କୁ ତିହାର ଜେଲ ଅଧିକ୍ଷକ ଗୁରୁବାର ଲିଖିତ ନୋଟିସ ପ୍ରଦାନ କରିଛନ୍ତି। ସେମାନଙ୍କର ସମସ୍ତ ଆଇନଗତ କାର୍ଯ୍ୟ ଶେଷ ହୋଇଥିବା ଅଧିକ୍ଷକ ନୋଟିସରେ ଜଣାଇଦେଇଥିବା ବେଳେ କୋର୍ଟଙ୍କ ମୃତ୍ୟୁଦଣ୍ଡାଦେଶ ବିରୋଧରେ ଏବେ ସେମାନେ କେବଳ ରାଷ୍ଟ୍ରପତିଙ୍କୁ କ୍ଷମା ନିବେଦନ କରିପାରିବେ ବୋଲି ନୋଟିସରେ ଉଲ୍ଳେଖ କରିଛନ୍ତି।  ଏଥିଲାଗି ସେମାନଙ୍କ ହାତରେ ଆଉ ମାତ୍ର ୭ ଦିନ ସମୟ ଥିବା ଅଧିକ୍ଷକ ସେମାନଙ୍କୁ ଜଣାଇଦେଇଛନ୍ତି।  

{"id":177392,"align":"center"}

ଏହି ସମୟ ମଧ୍ୟରେ ଯଦି ସେମାନେ ରାଷ୍ଟ୍ରପତିଙ୍କୁ ସେମାନଙ୍କର ମର୍ସି ପିଟିସନ ପ୍ରଦାନ କରିବାକୁ ଚାହିଁବେ ତେବେ ଜେଲ କର୍ମଚାରୀଙ୍କ ଦ୍ୱାରା  ଦେଇପାରିବେ। ନଚେତ ୭ ଦିନ ପରେ କୌଣସି ମୂହୁର୍ତ୍ତରେ ସେମାନଙ୍କ ବିରୋଧରେ ଦଣ୍ଡ ପାଳନ କରାଯାଇପାରେ ବୋଲି ଅଧିକ୍ଷକ ନୋଟିସରେ ଉଲ୍ଲେଖ କରିଛନ୍ତି। ତିହାର ଜେଲର ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲଙ୍କ ଅନୁସାରେ ନିର୍ଭୟା ମାମଲାର ୪ ଅପରାଧୀଙ୍କ ମଧ୍ୟରୁ ୩ ଜଣ ତିହାରରେ ଓ ଅନ୍ୟ ଜଣେ ମଣ୍ଡୋଲିସ୍ଥିତ ଜେଲ ନମ୍ବର ୧୪ରେ କୈଦୀ ଅଛନ୍ତି। ଟ୍ରାୟଲ କୋର୍ଟ ୪ ଅଭିଯୁକ୍ତଙ୍କୁ କରିଥିବା ମୃତ୍ୟୁଦଣ୍ଡାଦେଶକୁ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ମଧ୍ୟ କାୟମ ରଖିଛନ୍ତି।

{"id":177393}

ସୂଚନା ଯୋଗ୍ୟ ଯେ ଟ୍ରାୟଲ କୋର୍ଟଙ୍କ ଫାଶୀ ଦଣ୍ଡାଦେଶ ବିରୋଧରେ ଅଭିଯୁକ୍ତଙ୍କର ନିବେଦନ ଅଧିକାର ଥିଲା। ଏହା ଛଡା ଦଣ୍ଡାଦେଶର ପୁନର୍ବିଚାର ନିମନ୍ତେ ମଧ୍ୟ କୋର୍ଟଙ୍କୁ ନିବେଦନ କରିପାରିଥାନ୍ତେ। ତେବେ ଅପରାଧୀମାନେ କୌଣସିଥିରୁ ଗୋଟିଏ ହେଲେ ପଦକ୍ଷେପ ନେଇ ନାହାନ୍ତି। ଏପରିକି ଅପରାଧୀମାନେ ସେମାନଙ୍କ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ ଲାଗି ମଧ୍ୟ ରାଷ୍ଟ୍ରପତିଙ୍କୁ ନିବେଦନ କରିପାରିଥାନ୍ତେ।  ହେଲେ ସେମାନେ ଏଥିପ୍ରତି ମଧ୍ୟ ଆଗ୍ରହୀ ହୋଇ ନାହାନ୍ତି। ଏଣୁ ସେମାନେ ଆଇନର ଲାଭ ନନେବା ଯୋଗୁ ଜେଲ ଏବେ ନିଜ ଆଡୁ ସେମାନଙ୍କୁ ଦଣ୍ଡ ବିଧାନ ସମ୍ପର୍କରେ ଆଗୁଆ ଜଣାଇ ଦେବା ଉଚିତ ମନେ କରି ନୋଟିସ୍ ଦେଇଥିବା ମହାନିର୍ଦ୍ଦେଶକ କହିଛନ୍ତି।

{"id":177394}

ନୋଟିସ୍ ରେ ସେମାନେ ଟ୍ରାୟଲ କୋର୍ଟଙ୍କ ଦଣ୍ଡାଦେଶକୁ କୋହଳ କରିବାକୁ ଚାହୁଁଥିଲେ ୭ ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ମର୍ସି ପିଟିସନ ଦାଖଲ କରିପାରିବେ ବୋଲି ଜଣାଇ ଦିଆଯାଇଛି। ସେପଟେ ଜେଲ ସୁପରିଣ୍ଟେଣ୍ଡଣ୍ଟଙ୍କ  ଅଚାନକ ନୋଟିସ ପରେ ତିହାର ଓ ମଣ୍ଡୋଲୀ ଜେଲରେ ବନ୍ଦୀ ଥିବା ନିର୍ଭୟା ଅପରାଧୀଙ୍କ ନିଦ ହଜିଯାଇଛି। ସେମାନଙ୍କ ଉଦବେଗର କାରଣ ହେଉଛି ସେମାନଙ୍କ ବିରୋଧରେ ଦଣ୍ଡବିଧାନ ଲାଗି ହାତରେ ଆଉ ମାତ୍ର ୭ ଦିନ ସମୟ ଅଛି। ଏତିକି ସମୟରେ କ’ଣ ହୋଇପାରିବ ବୋଲି ସେମାନେ ଉଦବିଘ୍ନ ହୋଇପଡିଛନ୍ତି। ଯଦି ଏହି ୭ ଦିନ ମଧ୍ୟରେ ସେମାନେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଜେଲ କର୍ତ୍ତୃପକ୍ଷ ସେମାନଙ୍କ ଫାଇଲ ଟ୍ରାୟଲକୋର୍ଟରେ ଉପସ୍ଥାପନ କରିବେ। ଫଳରେ କୋର୍ଟ ସେମାନଙ୍କ ଦଣ୍ଡବିଧାନ ଲାଗି କର୍ତ୍ତୃପକ୍ଷଙ୍କୁ କୌଣସି ମୁହୁର୍ତ୍ତରେ ବି ଡେଥ ୱାରେଣ୍ଟ ଜାରି କରିପାରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.