ସୁନ୍ଦରୀକୁ ରଖାଯିବ ଏନକ୍ଲୋଜରରେ, ବିଟ ହାଉସରେ ଲୋକ ଲଗାଇଲେ ନିଆଁ, ପରିସ୍ଥିତି ଅଣାୟତ୍ତ
Published By : Prameya-News7 Bureau | October 22, 2018 IST
ଭୁବନେଶ୍ବର ୨୨|୧୦: ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବ । ଏଥିପାଇଁ ଅନୁଗୋଳରେ ପହଞ୍ଚିଛି ସ୍ବତନ୍ତ୍ର ଟିମ୍ । ସେପଟେ ସାତକୋଶିଆରେ ୪ ବନ୍ କର୍ମଚାରୀଙ୍କ ନିଖୋଜ ନେଇ ଚାଲିଛି ତନାଘନା । ସୁନ୍ଦରୀ ମଣିଷ ମାରିବା ପରେ ବାଘୁଣୀର ଗିତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସୁରକ୍ଷା ପାଇଁ ନିୟୋଜିତ ଥିଲେ ଏହି ବନ କର୍ମଚାରୀ । ସେବେଠାରୁ ସେମାନଙ୍କର କୌଣସି ସନ୍ଧାନ ମିଲୁନାହିଁ । କାଲି ମଣିଷ ମାରିବା ପରେ ପୁଣି ଆଜି ଉତ୍ପାତ କରିଛି ସୁନ୍ଦରୀ । ବଳଦ ମାରି ଖାଇବା ପରେ ଉତ୍ୟକ୍ତ ଲୋକେ ବିଟ୍ ହାଉସ୍ ପୋଡିଦେଇଛନ୍ତି ।
ସୁନ୍ଦରୀକୁ ଧରି ରାଇଗୁଡା ଏନକ୍ଲୋଜରକୁ ନିଆଯିବା ପାଇଁ ହୋଇଛି ନିଷ୍ପତ୍ତି । କାଲିଠାରୁ ଅନୁଗୋଳରେ ପହଞ୍ଚି ସାରିଛନ୍ତି ସ୍ବତନ୍ତ୍ର ଟିମ୍ । ସାଙ୍ଗରେ ନେଇଛନ୍ତି ଟ୍ରାଙ୍କୁଲାଇଜିଂ କିଟ୍। ଏହି ଟିମ୍ ସହ ଡେରାଡୁନରୁ ଆସିଥିବା ବିଶେଷଜ୍ଞ ମଧ୍ୟ ଅଛନ୍ତି । ବାଘୁଣୀକୁ କାବୁ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସାତକୋଶିଆ କୁମୁରି ଗାଁ ପାଖ ଜଙ୍ଗଲରେ ବାଘୁଣୀ ଥିବା ବନବିଭାଗ ସୂଚନା ଦେଇଛି । ତାର ଗିତିବିଧି ଉପରେ ନଜର ରଖାଯାଇଛି । ତେଣୁ କେବଳ ଜଙ୍ଗଲ ବିଭାଗ ଓ ପ୍ରଶାସନର ଅନୁମତି ମିଳିଲେ ଜଙ୍ଗଲ ବିଭାଗ ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ଅପେକ୍ଷା କରିଛି ।
ସେପଟେ ଗତକାଲି ଘଟଣା ପରେ ସାତକୋଶିଆରୁ ୪ ବନ କର୍ମଚାରୀ ନିଖୋଜ ଅଛନ୍ତି । ସୁନ୍ଦରୀ ମଣିଷ ମାରିବା ପରେ ବାଘୁଣୀର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିଲେ ଏହି ୪ ବନ କର୍ମଚାରୀ । ଗତ୨୦ ତାରିଖରୁ ଏମାନଙ୍କୁ ନିୟୋଜିତ କରାଯାଇଥିଲା । ତେବେ ତାପରଠୁ ଏମାନଙ୍କ ସଂପର୍କରେ କୌଣସି ସୂଚନା ମିଳୁନି । ଏମାନଙ୍କ ମୋବାଇଲ୍ ବି ବନ୍ଦ ରହିଛି । ତେଣୁ ସବୁ ସଂଦେହ ଏବେ ସ୍ଥାନୀୟ କିଛି ଗାଁ ଲୋକଙ୍କ ଉପରକୁ ଯାଉଛି। କାରଣ ବୃଦ୍ଧଙ୍କୁ ବାଘୁଣୀ ମାରିବା ଅଭିଯୋଗ ପରେ ଗାଁ ଲୋକେ କାଲି ଏହି ବନକର୍ମଚାରୀଙ୍କୁ ଅଟକ ରଖିଥିଲେ । ହେଲେ ଟାଇଁସି ଗାଁ ଲୋକଙ୍କ କହିବା କଥା ସେମାନେ ଏହି ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ କିନ୍ତୁ ପରେ ସେମାନେ କୁଆଡେ ଚାଲି ଯାଇଛନ୍ତି ତାହା ସେମାନଙ୍କୁ ଜଣା ନାହିଁ । ପ୍ରଶାସନ ଅଯଥା ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ।
ମଣିଷ ମାରିବାର ୨୪ ଘଣ୍ଟା ନପୁରୁଣୁ ବାଘୁଣୀ ସୁନ୍ଦରୀ ପୁଣି ହୋଇଛି ଉତ୍ପାତ । ନିକଟସ୍ଥ କୁମୁରି ଗାଁରେ ଗୋଟିଏ ବଳଦକୁ ମାରିଛି । ଏହା ପରେ ପୂରା ଇଲାକାର ଲୋକ ଭୟରେ ଅଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସୁନ୍ଦରୀକୁ ସ୍ଥାନାନ୍ତର ଦାବିରେ କୁମୁରି ଗାଁ ଲୋକେ ଗତକାଲି ଫରେଷ୍ଟ ବିଟ ହାଉସରେ ନିଆଁ ଲଗାଇ ଦେଇଥିଲେ। ସେଠାକୁ କୌଣସି ଗଣମାଧ୍ୟମ ପ୍ରତିନିଧି, ପ୍ରଶାସନ ପୋଲିସକୁ ବି ଛାଡି ନଥିଲେ । ପରେ ପରେ ଦେଖାଦେଇଥିଲା ଉତ୍ତେଜନା । ମୁଣ୍ଡାସାହି ଠାରେ ଲୋକେ ରାସ୍ତା ଅବରୋଧ କରିବାରୁ ପୋଲିସ ଓ ଗାଁ ଲୋକଙ୍କ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ବ୍ୟାପକ ପୋଡାଜଳା ପରେ ପୋଲିସ ଲାଠି ଚାର୍ଜ ଓ ଟିଅର ଗ୍ୟାସ୍ ପ୍ରୟୋଗ କରିଥିଲା । ଏବେ ସେଠାରେ ପରିସ୍ଥିତି ଶାନ୍ତ ଅଛି । ହେଲେ ପୋଲିସ ଗିରଫ ଭୟରେ ଟାଇଁସି ଓ ମୁଣ୍ଡାସାହି ଗାଁ ଶୂନ୍ଶାନ୍ ହୋଇଯାଇଛି ।
ଗତକାଲି ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା ତ୍ରିନାଥ ସାହୁଙ୍କ ମୃତଦେହ ଅନୁଗୋଳରେ ପୋଷ୍ଟମର୍ଟମ୍ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ନୁହେଁ ଅଧିକ କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରି ସହ ସୁନ୍ଦରୀକୁ ସାତକୋଶିଆରୁ ସ୍ଥାନାନ୍ତର କରିବାକୁ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି
ଗତକାଲି ଘଟଣା ପରେ ପରିସ୍ଥିତିରେ କିଛି ସୁଧାର ଆସିଛି ସତ ହେଲେ ଏବେବି ସାତକୋଶିଆ ସଂଲଗ୍ନ ୧୨୪ଟି ଗାଁରେ ଭୟର ବାତାବରଣ ଥିବା ବେଳେ ଚାପା ଉତ୍ତେଜନା ବି ରହିଛି।