ସାତକୋଶିଆରେ ଆତଙ୍କ ଖେଳାଉଛି ସୁନ୍ଦରୀ ; ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ଏନ୍‌କ୍ଲୋଜରରେ ରଖାଯିବ

Published By : Prameya-News7 Bureau | October 23, 2018 IST

ଅନୁଗୋଳ ୨୩|୧୦: ସାତକୋଶିଆବାସୀଙ୍କ ନିଦ ହଜାଇ ଦେଇଛି ବାଘୁଣୀ ସୁନ୍ଦରୀ । ଏବେ ବାଘୁଣୀ କୁମୁରି ଗାଁ ପାଖରେ ଥିବା ସୂଚନା ମିଳିଛି । ରବିବାର ଅନୁଗୋଳ ଜିଲ୍ଲା ଟାଇଁସି ଗାଁରେ ଦ୍ବିତୀୟ ମଣିଷ ଶିକାର କରିବା ପରେ ସୁନ୍ଦରୀକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିବାରେ ଲାଗିଛି । ଆଇନକୁ ହାତକୁ ନେବାକୁ ଲୋକେ ପଛଘୁଞ୍ଚା ଦେଉନାହାନ୍ତି । ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି, ପୋଡାଜଳା ବି କରିଛନ୍ତି । ଏହାକୁ ନେଇ ଗତ ୩୬ ଘଣ୍ଟା ହେଲା ବନ ବିଭାଗର ନିଦ ହଜିଗଲାଣି । ସୁନ୍ଦରୀ ପାଇଁ କଣ ପଦକ୍ଷେପ ନିଆଯିବ ତାହାକୁ ନେଇ ଗତକାଲି ଦିନତମାମ ଘନ ଘନ ବୈଠକ ମଧ୍ୟ ବସିଛି । ସୁନ୍ଦରୀକୁ ତୁରନ୍ତ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଚିଠି ଲେଖିଛନ୍ତି ଅନୁଗୁଳ ଜିଲ୍ଲାପାଳ । ସୁନ୍ଦରୀକୁ ଏବେ କାବୁ କରିବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ପୁଣିଥରେ ଏନକ୍ଲୋଜରରେ ରଖିବାକୁ ଯୋଜନା ହୋଇଛି । ଏଥିପାଇଁ ଅନୁଗୁଳରେ ପହଞ୍ଚିଛନ୍ତି ୪ ଜଣିଆ ବିଶେଷଜ୍ଞ ଟିମ୍ । ଏଥିରେ ଓୟୁଏଟି ଓ ନନ୍ଦନକାନନର ବିଶେଷଜ୍ଞ ବି ରହିଛନ୍ତି । ଟ୍ରାଙ୍କୁଲାଇଜ୍ କରିବା ପାଇଁ ଦୁଇଟି ଟିମ୍ ଏବେ ସାତକୋଶିଆରେ ପହଞ୍ଚି ସାରିଛନ୍ତି । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ରାଇଗଡ ଏନକ୍ଲୋଜରକୁ ଆଣି ରଖାଯିବ । ସେଠାରେ ତାହାର ଗତିବିଧି ଉପରେ ଅନୁଧ୍ୟାନ ହେବ । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ବନ୍ୟପ୍ରାଣୀ ସଂସ୍ଥାନ ସହ ପରାମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପିସିସିଏଫ୍ କହିଛନ୍ତି । ତେବେ ସୁନ୍ଦରୀକୁ ନରଖାଦକ ଘୋଷଣା କରାଯିବ ନାହିଁ । ପିସିସିଏଫଙ୍କ ଏଭଳି ମତ ପରେ ସୁନ୍ଦରୀର ବାସସ୍ଥାନ କେଉଁଠି ହେବ ତାହାକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ସେପଟେ ସାତକୋଶିଆରେ ସୁନ୍ଦରୀ ଗତିବିଧି ଉପରେ ନଜର ରଖିଥିବା ୪ ବନ କର୍ମଚାରୀଙ୍କ ପତ୍ତା ନମିଳିବା ବନ ବିଭାଗର ମୁଣ୍ଡବ୍ୟଥା ବଢାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.