ସାତକୋଶିଆରେ ସୁନ୍ଦରୀର ଆଉ ଏକ ଶିକାର ; ମଣିଷ ମାରିବାର ଦିନକ ପରେ ଆଜି ପୁଣି ବଳଦ ମାରିଲା

Published By : Prameya-News7 Bureau | October 22, 2018 IST

ଅନୁଗୋଳ ୨୨|୧୦:  ସୁନ୍ଦରୀକୁ ନେଇ ଅନୁଗୋଳ ସାତକୋଶିଆ ଅଶାନ୍ତ ହୋଇପଡିଛି । ଗତକାଲି ଜଣେ ବୃଦ୍ଧଙ୍କୁ ବାଘ ମାରିବା ଘଟଣାକୁ ନେଇ ସ୍ଥାନୀୟ ଟାଇଁସି ଗାଁରେ ଉତ୍ତେଜନା ଏବେ ଯାଏଁ ଥମିନି । ଆଜି ପୁଣି ଟାଇଁସି ପାଖ କୁମୁରି ଗାଁରେ ଏକ ବଳଦକୁ ସୁନ୍ଦରୀ ମାରିଥିବା ସୂଚନା ମିଳିଛି । ବଳଦକୁ ସୁନ୍ଦରୀ ମାରିଥିବା ନେଇ  ବନବିଭାଗ ମଧ୍ୟ ସ୍ପଷ୍ଟ କରିଛି । ବାଘ ଆତଙ୍କ ନେଇ ଏବେବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ ଅନୁଗୋଳ ଟାଇଁସି ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗତକାଲି ବାଘୁଣୀ ସୁନ୍ଦରୀ ପାଇଁ ଘଟିଥିଲା ଲଙ୍କାକାଣ୍ଡ । ଅନୁଗୋଳ ଟାଇଁସିରେ ବାଘ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଲୋକ ରାସ୍ତାକୁ  ଓହ୍ଲାଇଥିଲେ । ପୋଲିସ ଏବଂ ଉତ୍ତ୍ୟକ୍ତ ଲୋକେ ମୁହାଁମୁହିଁ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ କରିବା ଲାଗି ପୋଲିସ ଲାଠି ପ୍ରୟୋଗ କରିଥିଲା, ଲୁହବୁହା ବାଷ୍ପ ବି ପ୍ରୟୋଗ କରିଥିଲା । ଆଉ ଲୋକେ ବି ପୋଲିସ ଉପରକୁ ଢେଲାପଥର ମାଡ଼ କରିଥିଲେ । ଜଣେ ପୋଲିସ କର୍ମଚାରୀଙ୍କ ବନ୍ଧୁକ ଭାଙ୍ଗି ଦେବା ସହିତ ତାଙ୍କୁ ଲୋକେ ଆକ୍ରମଣ କରିଥିଲେ । ସେପଟେ ପୋଲିସର ଲାଠି ମାଡରେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଥିଲେ । ଏହାକୁ ନେଇ ଆଜିବି ଚାପା ଉତ୍ତେଜନା ରହିଛି । ସୁନ୍ଦରୀ ବାଘୁଣୀକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଲୋକେ ଦାବି କରିଛନ୍ତି । ବାଘୁଣୀକୁ ଧରିବା ପାଇଁ ସେଠାକୁ ଯାଇଛନ୍ତି ଟ୍ରାଙ୍କୁଲାଇଜ୍ ଟିମ୍ । ଟ୍ରାଙ୍କୁଲାଇଜ୍ ଟିମ୍ ରେ ପଶୁ ବିଶେଷଜ୍ଞ ସାମିଲ ହୋଇଛନ୍ତି । ଡେରାଡୁନର ମଧ୍ୟ ବନ୍ୟଜନ୍ତୁ ବିଶେଷଜ୍ଞ ଆସିଛନ୍ତି । ସେମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପିସିସିଏଫ୍ । ତେବେ ସେମାନେ ସୁରକ୍ଷା ଲୋଡିଛନ୍ତି । ଏପଟେ ସହଯୋଗ କରିବା ଲାଗି ଲୋକଙ୍କୁ ଅନୁରୋଧ କରିଛି ପୋଲିସ । ଟାଇଁସି ଗାଁର ୩ କିଲୋମିଟର ଭିତରେ ବାଘୁଣୀ ଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ଲୋକେ ଭୟରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.