ଧରା ଦେଉନି ବାଘୁଣୀ ସୁନ୍ଦରୀ ; ଅଶନବାହାଲଠାରୁ ପ୍ରାୟ ୩ କିମି ଦୂର ଘଞ୍ଚ ଜଂଗଲରେ ରହିଛି ସୁନ୍ଦରୀ, ନାକେଦମ ହେଲାଣି ବନ ବିଭାଗ
31/10/2018 at 10:15 AM

ଅନୁଗୋଳ ୩୧|୧୦: ଅପରେସନ୍ ସୁନ୍ଦରୀ ଏକ ପ୍ରକାର ଫେଲ୍ । ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ବନ ବିଭାଗ ନାକେଦମ ହୋଇଗଲାଣି। ବାଘୁଣୀ ଧରା ଛୁଆଁ ଦେଉନି । ରାଜ୍ୟ ସରକାର ଟ୍ରାଙ୍କୁଲାଇଜ୍ କରିବା ପାଇଁ ଛକି ବସିଛନ୍ତି ରାଜ୍ୟର ୩ଟି ଟିମ୍ । ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଦେଖି ରାଜ୍ୟ ବାହାରୁ ଆସିଥିବା ବିଶେଷଜ୍ଞ ଟିମ୍ ବି ଅସନ୍ତୁଷ୍ଟ । ଅଶନବାହାଲଠାରୁ ପ୍ରାୟ ୩ କିଲୋମିଟର ଦୂର ଘଞ୍ଚ ଜଂଗଲ ମଧ୍ୟରେ ବାଘୁଣୀ ରହିଥିବା ବନ ବିଭାଗ ଜାଣିପାରିଛି। ଘଞ୍ଚ ଜଂଗଲ ମଧ୍ୟରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚାଲି ଚାଲି ଅଭିଯାନ ଚଳାଇବା କଷ୍ଟସାଧ୍ୟ। ଏଥିରେ ପୁଣି ବନ ବିଭାଗ କର୍ମଚାରୀମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଏଭଳି ସ୍ଥିତି ରେ ପୋଷା ହାତୀର ସହାୟତା ନେବାକୁ ବନ ବିଭାଗ ଚିନ୍ତା କରୁଥିବା କୁହାଯାଇଛି। ସେପଟେ ଅପରେସନ ସୁନ୍ଦରୀ କରୁଥିବା ଟିମ୍ ପାଇଁ ରେସକ୍ୟୁ ଭ୍ୟାନ୍ ଆବଶ୍ୟକ । ଯେଉଁ ଭ୍ୟାନରେ ଅକ୍ସିଜେନ୍, ଷ୍ଟ୍ରେଚର, ନିଶ୍ଚେତକ, ଗନ୍ ଏବଂ ଫ୍ରିଜ୍ ରହିବା ବ୍ୟବସ୍ଥା ରହିଥାଏ ।ଏହି ଭ୍ୟାନ ବିନା ବାଘୁଣୀକୁ ଧରିବା କେମିତି ସମ୍ଭବ ବୋଲି ବିଶେଷଜ୍ଞ ଟିମ୍ ପ୍ରଶ୍ନ କରିଛି । ପୁଣି ଟ୍ରାଙ୍କୁଲାଇଜେସନ୍ ପାଇଁ ଆବଶ୍ୟକ ନିଶ୍ଚେତକ ବନ ବିଭାଗ କିଣିନଥିବା ଅଭିଯୋଗ ହୋଇଛି ।ଏମିତି ସ୍ଥିତିରେ ବାଘ ଧରା ମିଶନ୍ ସଫଳ ହେବା ନେଇ ଆଶଙ୍କା ଦେଖା ଦେଇଛି ।