ମୁମ୍ଵାଇ ୧୧।୦୮: ଦର୍ଶକମାନଙ୍କୁ ନିଜ ଜବରଦସ୍ତ ଡ୍ୟାନ୍ସ ଓ ଷ୍ଟଣ୍ଟ ଦେଖାଇଛନ୍ତି ଅଭିନେତା ଟାଇଗର ଶ୍ରଫ୍ । ନିଜ ଡ୍ୟାନ୍ସ ସଉକକୁ ଗୋଟେ ପାଦ ଆଗକୁ ନେଇ ସେ ‘ମାଟ୍ରିକ୍ସ’ ନାମକ ଏକ ନୂଆ ଡ୍ୟାନ୍ସ ଏକାଡେମୀ ପ୍ରତିଷ୍ଠା କରିଛନ୍ତି । ଅଗଷ୍ଟ ପାଞ୍ଚ ତାରିଖରେ ଉଦଘାଟିତ ହୋଇଥିବା ଏହି ମାଟ୍ରିକ୍ସ ନୃତ୍ୟ ଏକାଡେମୀ ମାଧ୍ୟମରେ ଟାଇଗର ନୃତ୍ୟ ଶିକ୍ଷା ଦୁନିଆରେ ପଦାର୍ପଣ କରିଛନ୍ତି ।
ଉଦ୍ୟୋଗ ଦୁନିଆରେ ନିବେଶ କରିବା ପାଇଁ ଏହା ଟାଇଗରଙ୍କ ଆଉ ଏକ ଉଦ୍ୟମ । ଏଥି ସହ ଟାଇଗର ପ୍ରାଉଲ୍ ନାମକ ଏକ ଆକ୍ଟିଭ ୱିୟର ବ୍ରାଣ୍ଡ ଓ ଏମଏମଏ ମାଟ୍ରିକ୍ସ ନାମକ ଏକ ଫିଟନେସ ଷ୍ଟାର୍ଟଅପରେ ମଧ୍ୟ ନିବେଶ କରିଛନ୍ତି । ଏହି ନୃତ୍ୟ ଏକାଡେମୀ ମାଧ୍ୟମରେ ଟାଇଗର ଭାରତରେ ବିଭିନ୍ନ ପ୍ରକାର ଡାନ୍ସ ମୁଭକୁ ପ୍ରସିଦ୍ଧ କରାଇବାର ଲକ୍ଷ୍ୟ ରଖିଥିବାର ସୂଚନା ରହିଛି ।
ଏହି ଡ୍ୟାନ୍ସ ଏକାଡେମୀରେ ସମକାଳୀନ, ଜାଜ୍, ହିପ-ହପ୍, ବାଲେ ପରି ବିଭିନ୍ନ ପ୍ରକାର ନୃତ୍ୟ ଶିକ୍ଷାଦାନ କରାଯିବ । ନୂଆ କରି ନୃତ୍ୟ ଶିଖୁଥିବା ବ୍ୟକ୍ତିଙ୍କଠାରୁ ତାରକାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁହାଇଲା ପରି ଏହି ଏକାଡେମୀର ଡିଜାଇନ୍ କରାଯାଇଛି । ଟାଇଗର୍ଙ୍କ ଏହି ଏକାଡେମୀ କେବଳ ଏକ ଔଦ୍ୟୋଗିକ ନିବେଶ ନୁହଁ। ଏହା ଟାଇଗରଙ୍କ ନୃତ୍ୟକୁ ନେଇ ଥିବା ଉତ୍ସର୍ଗୀକୃତ ମନୋଭାବକୁ ଦର୍ଶାଇଥାଏ ।