ତିଗିରିଆ ଅଞ୍ଚଳରେ ବୁଲୁଛି କଲରାପତରିଆ ବାଘ ! ଭୟଭୀତ ଲୋକେ
27/11/2022 at 7:39 AM

ଆଠଗଡ଼ ୨୭।୧୧ : କଟକ ଜିଲ୍ଲା ତିଗିରିଆ ରେଞ୍ଜ ସୋରିଷପାଳ ପାହାଡ଼ରେ କଲରାପତରିଆ ବାଘ ଆତଙ୍କ। ୨ମାସର ବାଛୁରୀକୁ ମାରି ଦେଇଥିବା ସନ୍ଦେହ କରାଯାଉଛି। ଶନିବାର ମିଳିଛି ବାଛୁରୀର ଖଣ୍ଡବିଖଣ୍ଡିତ ମୃତଦେହ । ଘଟଣାସ୍ଥଳରେ ତିଗିରିଆ ବନ ବିଭାଗ କର୍ମଚାରୀ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛନ୍ତି।

ଖବର ଅନୁଯାୟୀ, ଶୁକ୍ରବାର ଠାରୁ ବାଛୁରୀ ମାଲିକ ଖୋଜି ନିରାଶ ହେବା ପରେ ଶନିବାର ପୁଣି ଗାଁ ନିକଟସ୍ଥ ସୋରିଷ ପାଳ ପାହାଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଖୋଜାଖୋଜି କରିଥିଲେ । ସେଠାରେ ବାଛୁରୀର ମୃତ ଦେହ ଦେଖିବାକୁ ପାଇଥିଲେ। ବାଛୁରୀ ବେକରେ ଦାନ୍ତର ଆଘାତ ଦେଖିବା ସହ କେବଳ ମୁଣ୍ଡ ଓ ଚମଡା ଛାଡ଼ି ଅନ୍ୟ ସବୁ ଅଙ୍ଗକୁ ଖାଇଯାଇଥିଲା କୌଣସି ଜନ୍ତୁ। ଖବର ପାଇ ତିଗିରିଆ ବନ ବିଭାଗ କର୍ମଚାରୀ ପହଞ୍ଚି କୌଣସି କଲରାପତରିଆ ବାଘ ବାଛୁରୀକୁ ଶିକାର କରିଥିବା ସନ୍ଦେହ କରିଛନ୍ତି । ଗତବର୍ଷ ଏହି ଅଞ୍ଚଳରେ ଏକ କଲରା ପତରିଆ ବାଘ ଫାଶରେ ପଡି ମରିଥିଲା ।