ବରଗଡ ଦେବ୍ରୀଗଡ ଅଭୟାରଣ୍ୟରେ ମହାବଳ ଶିକାର : ବନ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ
28/10/2018 at 6:14 PM

ବରଗଡ଼ ୨୮/୧୦ : ବରଗଡ ଦେବ୍ରୀଗଡ ଅଭୟାରଣ୍ୟରେ ମହାବଳ ଶିକାର । ଅଭୟାରଣ୍ୟରୁ ବାଘର ଗଳିତ ମୃତଦେହ ମିଳିବା ପରେ ଏନେଇ ନାନା ସନ୍ଦେହ ଉପୁଜିଛି । ସେପଟେ ବନ ବିଭାଗ ପାଖରେ ଏନେଇ କୌଣସି ଖବର ନାହିଁ । ବରଂ ପ୍ରାଣୀ ବିଶେଷଜ୍ଞଙ୍କ ଏକ ଟିମ୍ ଯାଇ ସେଠାରୁ ଗଳିତ ଶବ ଉଦ୍ଧାର କରିବା ପରେ ଏନେଇ ବନ ବିଭାଗ ତତ୍ପର ହୋଇଛି ।
ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ପାଇଁ ଚାଲିଛି ଯୋଜନା । ଆଉ ଏପଟେ ବରଗଡ ଦେବ୍ରୀଗଡ ଅଭୟାରଣ୍ୟରେ ମହାବଳର ଶିକାର । ଦେବ୍ରୀଗଡ ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ଶିକାର ନେଇ ଖବର ପାଇବା ପରେ ସେଠାରେ ପହଞ୍ଚିଥିଲା ଭୁବନେଶ୍ବରର ଏକ ପ୍ରାଣୀ ବିଶେଷଜ୍ଞଙ୍କ ଟିମ୍ । ଏହି ଟିମ୍ ଭଟଲି ବ୍ଲକର ଖଜୁରିଆ ଗାଁ ଦାମଦରପଡ଼ା ଜଙ୍ଗଲରେ ଏକ ଗାତରୁ ମହାବଳର ଗଳିତ ମୃତଦେହ, ହାଡ଼, କଙ୍କାଳ, ନଖ ଆଦି ଠାବ କରିଛି । ଏପରିକି ସେଠାରେ କେତେକ କାଠ ଖଣ୍ଡ ମିଳଛି । ଯାହା ଜଣା ପଡୁଛି ବାଘକୁ କୌଣସି ସ୍ଥାନରୁ ଏହି କାଠ ଖଣ୍ଡ ସାହାଯ୍ୟରେ ବୁହାଯାଇ ଅଣାଗଲା ପରେ ଏଠାରେ ପୋତି ଦିଆଯାଇଛି । ମୃତ ବାଘକୁ ୨ ସପ୍ତାହ ତଳେ ଏଠି ପୋତି ଦିଆଯାଇଥିବା ଅନୁମାନ କରାଯାଉଛି । ତେବେ ମହାବଳ ବାଘକୁ ମାରି ପୋତି ଦିଆଯାଇଛି କି ତାର ସ୍ବଭାବିକ ମୃତ୍ୟୁ ପରେ ପୋତାଯାଇଛି ତାହା ଜଣାପଡିନାହିଁ । ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ବାଘ ମୃତ୍ୟୁ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ ।
ସେଠାକୁ ଯାଇଥିବା ପ୍ରାଣୀ ବିଶେଷଜ୍ଞ ଟିମ୍ ସ୍ଥାନୀୟ ବନ ବିଭାଗକୁ ବାଘ ମୃତ୍ୟୁ ନେଇ ପ୍ରଥମେ ଖବର ଦେଇଥିଲା । ହେଲେ ବନ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିନଥିଲା । ଏପରିକି ସ୍ଥାନୀୟ ଡିଏଫ୍ଓଙ୍କ ପାଖରେ ବି ଏନେଇ କୌଣସି ଖବର ନଥିବା କୁହାଯାଉଛି । ଏହି ଟିମ୍ ଦିନ ୧୧ ଟାରୁ ୪ଟା ପର୍ଯ୍ୟନ୍ତ ଜଙ୍ଗଲରେ ଖୋଜାଖୋଜି କରିବା ପରେ ବାଘ ପୋତାଯାଇଥିବା ସ୍ଥାନ ଖୋଜି ପାଇବାରେ ସକ୍ଷମ ହୋଇଥିଲା । ବାଘ ମୃତ୍ୟୁ ନେଇ ବନ ବିଭାଗ ପାଖରେ ଖବର ନଥିବା ବେଳେ ଏବେ ମୃତଦେହ ମିଳିବା ପରେ ବନ ବିଭାଗ ତତ୍ପର ହୋଇଛି । ତେବେ ଏହା ମହାବଳ ବାଘର ମୃତଦେହ ନା ଅନ୍ୟ କେଉଁ ଜନ୍ତୁର । ତଦନ୍ତ ପରେ ଜଣାପଡିବ ବୋଲି ବନ ବିଭାଗ କହିଛି ।
ଏଠି ପ୍ରଶ୍ନ ଉଠୁଛି ଜଙ୍ଗଲ ବିଭାଗ ପାଖରେ ବାଘ ମୃତ୍ୟୁ ନେଇ ଖବର ନଥିବା ବେଳେ ଭୁବନେଶ୍ବରର ଏହି ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ପାଖରେ ଖବର ପହଞ୍ଚିଲା କିଭଳି ? ଦେବ୍ରୀଗଡ ସଂରକ୍ଷିତ ଜଙ୍ଗଲର ଫରେଷ୍ଟର, ରେଞ୍ଜର, ବନ କର୍ମଚାରୀ ମାଳାମାଳ ଥିବା ବେଳେ କିଭଳି ଘଟଣା ସଂପର୍କରେ ଖବର ପାଇଲେ ନାହିଁ ? ନା ସବୁଜାଣି ଏମାନେ ଚୁପ୍ ବସିଥିଲେ । ଯଦି ସତରେ ସେଠାରେ ବାଘକୁ ହତ୍ୟା କରାଯାଇଥିବ ତେବେ ସ୍ଥାନୀୟ ବନ ଅଧିକାରୀ କାହିଁକି ଦାୟୀ ହେବେନି । ଏନେଇ ବିଧିବଦ୍ଧ ତଦନ୍ତ ହେବା ସହ ଦୋଷୀଙ୍କୁ ତୁରନ୍ତ ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି