ଦଳୀୟ ନେତୃତ୍ବକୁ ଖୁସୀ କରି ଟିକେଟ ହାତେଇବା ପାଇଁ ସବୁ ଆଶାୟୀ ପ୍ରାର୍ଥୀ ଏବେ ନିର୍ବାଚନ ମଣ୍ଡଳିରେ କରୁଛନ୍ତି ଜନସମ୍ପର୍କ

Published By : Prameya-News7 Bureau | October 26, 2018 IST

ଭୁବନେଶ୍ବର୨୬\୧୦: ନିର୍ବାଚନ ପାଖେଇ ଆସୁଥିବା ବେଳେ ଟିକେଟ୍ ପାଇବା ନେଇ ବଢୁଛି ଆଶାୟୀଙ୍କ ଆଶା ଓ ଆଶଙ୍କା । ଟିକେଟ୍ ମିଳିବ ନା ମିଳିବନି, ସେଇ ଚିନ୍ତାରେ ଥିବା ନେତାଏ, ନିର୍ବାଚନ ମଣ୍ଡଳିରେ ପଡ଼ି ରହିଛନ୍ତି । କ୍ଷମତା କେନ୍ଦ୍ର ସନ୍ତୁଷ୍ଟିରେ ଲାଗିଛନ୍ତି ସମସ୍ତେ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଏବେ ଟିକେଟ ଲବି ଜୋରଦାର ହେଲାଣି । ୧୯ ନିର୍ବାଚନ ପାଇଁ ଦଳୀୟ ଟିକେଟ ହାତେଇବା ଯୋଜନାରେ ସବୁ ଦଳର ଆଶାୟୀ । ଶାସକ ଦଳର ସମସ୍ତ ବିଧାୟକ ଓ ସାଂସଦ, ଏଥର ଟିକେଟ୍ ପାଇବେ କି ନାହିଁ ନିଶ୍ଚିତ ହୋଇ ନଥିବା ବେଳେ ସେମାନଙ୍କ ମଧ୍ୟରୁ ନିର୍ବାଚନ ମଣ୍ଡଳିରେ ପଡ଼ି ରହିଛନ୍ତି ଅଧିକାଂଶ । ତେବେ ନିର୍ବାଚନ ମଣ୍ଡଳିର ବିକାଶ କିମ୍ବା ଲୋକଙ୍କ ସମସ୍ୟା ପାଇଁ ସେମାନେ ବ୍ୟଗ୍ର ନୁହଁନ୍ତି, ବରଂ ଦଳର ସୁପ୍ରିମୋଙ୍କ ଗୁଡବୁକରେ ରହି ଟିକେଟ ହାତେଇବା ହେଉଛି ମୁଖ୍ୟ ଲକ୍ଷ୍ୟ । ଏକଥାକୁ ପରୋକ୍ଷରେ ସ୍ବୀକାର କରିଛନ୍ତି ବହୁ ନେତା । ତେବେ ବିଧାୟକ ଅରୁଣ ସହୁ ଏବଂ ସମୀର ମହାନ୍ତି କିନ୍ତୁ କହିଛନ୍ତି ଅଲଗା କଥା । କଂଗ୍ରେସ ସ୍ଥିତି ବି କମ୍ ଜଟିଳ ନାହିଁ । ୪୪ ପ୍ରାର୍ଥିଙ୍କ ଟିକେଟ ଫାଇନାଲ ହୋଇଗଲା ବୋଲି ଦଳ କହିଲା, କିନ୍ତୁ କିଏ େହି ୪୪ଜଣ ତାହା ଜଣାପଡିନି । ଫାଇଲ ଏବେ ସ୍କ୍ରିନିଂ କମିଟି ପାଖରେ । ଏଭଳି ସ୍ଥିତିରେ ଅନ୍ୟ ଆଶାୟୀଙ୍କ କଥା କଣ ବା କହିବା ? ବିଜେପିରେ ବି ସମାନ ଅବସ୍ଥା । ଟିକେଟ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦଳ କିନ୍ତୁ କହୁଛି, ଟିକେଟ ବଣ୍ଟନ ପାଇଁ ୩ ରାଉଣ୍ଡ ସର୍ଭେ ସରିଲାଣି । କିଏ କେଉଁଠୁ ଲଢ଼ିବ, ବ୍ଲୁ ପ୍ରିଣ୍ଟ ବି ହୋଇସାରିଛି । ହେଲେ ନିର୍ବାଚନକୁ ଆଉ ୪-୫ ମାସ ଥିବା ବେଳେ, କୌଣସି ଦଳ କିଛି ସ୍ପଷ୍ଟ କରୁ ନାହାନ୍ତି । ନିର୍ବାଚନ ପାଖେଇଲେ ଆଶାୟୀଙ୍କ ସଂଖ୍ୟା ବଢ଼େ । ସବୁ ନେତା, ନିଜ ନିଜର ପାର୍ଟି ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.