ପଶ୍ଚିମ ଓଡିଶାରେ ବଢିଲା ତାତି : ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

Published By : Prameya-News7 Bureau | May 09, 2020 IST

ଭୁବନେଶ୍ୱର ୦୯।୦୫ : ରବିବାର ବହୁ ଜାଗାରେ କାଳବୈଶାଖୀ ଆଶଙ୍କା ରହିଛି । ଶନିବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳର ଅଳ୍ପ କେତେକ ସ୍ଥାନ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ଜାଗା ସହ ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳରେ ଘଡ଼ଘଡ଼ି ଓ ଧୂଳିଝଡ଼ ହୋଇପାରେ । ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  

ସେହିପରି ରବିବାର ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବା ଆଶଙ୍କା ଅଛି । ଏ ସବୁ ଜିଲ୍ଲାରେ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ୩୦-୪୦ କିିମି ବେଗରେ ପବନ ବହିପାରେ ।

କାଳବୈଶାଖୀ ପ୍ରଭାବ ଯୋଗୁ ଉପକୂଳ ଓଡ଼ିଶାରେ ଏଯାବତ୍‌ ତାତି ପ୍ରକୋପ କମ୍‌ ରହିଛି । ହେଲେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଉପରମୁହାଁ ହୋଇଛି । ଟିଟିଲାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଛୁଇଁଥିବାବେଳେ ତାଳଚେରରେ ୪୧.୫ ଡିଗ୍ରୀ, ଭବାନୀପାଟଣା ୪୧ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟ ସହର ମଧ୍ୟରେ ପାରଳାଖେମୁଣ୍ଡି ତାପମାତ୍ରା ୩୯, ମାଲକାନଗିରି ୩୯, ବଲାଙ୍ଗିର ୩୯, ସମ୍ବଲପୁର ୩୮.୩, ସୁନ୍ଦରଗଡ଼ ୩୮, ବୌଦ୍ଧ ୩୮ ଡିଗ୍ରୀ ରହିଛି ।   ଉପକୂଳ ଓଡ଼ିଶାରେ ପାରଦ ଅପେକ୍ଷାକୃତ କମ୍‌ ରହିଛି । ଚାନ୍ଦବାଲି ତାପମାତ୍ରା ୩୬.୭ ଡିଗ୍ରୀ, କଟକ ୩୬.୮, ଭୁବନେଶ୍ୱର ୩୬.୭, ଅନୁଗୁଳ ୩୬.୧, ବାରିପଦା ୩୬ ଡିଗ୍ରୀ ରହିଛି ।   ପାଣିପାଗ ବିଭାଗ କହିଛି, ଆସନ୍ତା ୩-୪ ଦିନ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନି । ଅପରପକ୍ଷରେ କାଳବୈଶାଖୀ ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.