ରାମପୁର ନବାବଙ୍କ ସିଂହାସନ ଗାୟବ, ଲାଗିଥିଲା ହୀରା,ନିଳା
31/08/2020 at 5:41 PM

ରାମପୁର ୩୧।୮: ଉତ୍ତରପ୍ରଦେଶ ରାମପୁରର ଶେଷ ନବାବ ରାଜା ଅଲ୍ଲି ଖାନ୍ଙ୍କ ହୀରାନିଳା ରତ୍ନ ଖଚିତ ସିଂହାସନଟି ନିଖୋଜ ଥିବା ଜଣାପଡିଛି। ଭାରତର ସ୍ୱାଧୀନତା ସହିତ ୫୬୫ଟି ରିୟାସତର ଭାରତ ସରକାରରେ ବିଲୟ ହୋଇଥିଲା। ହେଲେ ଆଜିବି ଅନେକ ରାଜ ପରିବାରରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଛି। ଏଥିରେ ରାମପୁର ନବାବଙ୍କ ସିଂହାସନ ଗାୟବ ହେବା ଏବେ ଜନତା ଓ ପ୍ରଶାସନକୁ ଚକିତ କରିଛି।

ରାଜା ଅଲ୍ଲି ଖାନଙ୍କ ପୁଅ କାଜିମ ଅଲ୍ଲି ଖାନ୍ ସିଂହାସନ ନଥିବା ନେଇ ସୂଚନା ଦେଇଛନ୍ତି। କାଜିମଙ୍କ ଅନୁସାରେ ସିଂହାସନର ଆଜିର ଦିନରେ ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ। ନବାବଙ୍କ ମହଲ ଓ ଖାସବାଗ ପାଲେସ କବଜାରେ ରଖିଥିବା ଲୋକେ ଏହି ସିଂହାସନ ଚୋରାଇ ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କାଜିମଙ୍କ ଅନୁସାରେ ରାଜା ଅଲ୍ଲି ଖାନ୍ଙ୍କର ଦୁଇଟି ସିଂହାସନ ଥିଲା। ଏଥିରୁ ଗୋଟିଏ ହମ୍ମିଦ ମଞ୍ଜିଲ ଦରବାର ହଲରେ ରଖାଯାଇଥିବା ବେଳେ ରୂପାର କ୍ରିଷ୍ଟଲ ସିଂହାସନକୁ ବ୍ଲୁ ରୁମରେ ରଖାଯାଇଥିଲା।

୧୯୪୯ ମସିହାରେ ମର୍ଜର ବେଳେ ଉଭୟ ସିଂହାସନକୁ ଖାସବାଗ୍ ନିଆଯାଇଥିଲା। ୧୯୮୨ ମସିହାରେ ରାଜା ଅଲ୍ଲି ଖାନଙ୍କର ପରଲୋକ ହୋଇଥିଲା। ସେବେଠାରୁ ଦୁଇଟିଜାକ ସିଂହାସନ ଖାସବାଗରେ ଥିଲା। ତେବେ ଏଥିରୁ ରୂପା ସିଂହାସନଟିର ଏବେ ପତା ମିଳୁନଥିବାର କାଜିମ ଅଭିଯୋଗ କରିଛନ୍ତି। ହୁଏତ ଏହାକୁ ଚୋରାରେ ବିକି ଦିଆଯାଇଛି ଅଥବା ଝିଅଙ୍କ ଘରକୁ ଯାଇଛି କି କୁଆଡେ ଯାଇଛି ତାହା ସେ ଜାଣନ୍ତି ନାହିଁ ବୋଲି କାଜିମ କହିଛନ୍ତି। ଏହି ସିଂହାସନ କେବଳ ଆମର ପାରିବାରିକ ସମ୍ପତ୍ତି ନୁହେଁ ଦେଶର ଐତିହ୍ୟ ମଧ୍ୟ ଏଣୁ ସିଂହାସନର ତୁରନ୍ତ ଅନୁସନ୍ଧାନ ଲାଗି ସରକାରଙ୍କୁ ନିବେଦନ କରିଛନ୍ତି।