ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବିତରଣ କାର୍ଯ୍ୟକ୍ରମରେ ଦଳା ଚକଟା, ୩ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | December 14, 2022 IST

କୋଲକାତା: ପଶ୍ଚିମ ବର୍ଦ୍ଧମାନର ଆସନସୋଲରେ ବୁଧବାର ସନ୍ଧ୍ୟାରେ ରାଜ୍ୟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବିତରଣ କାର୍ଯ୍ୟକ୍ରମରେ ଦଳଚକଟା ଘଟିଛି। ଏହି ଅଭାବନୀୟ ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ମୃତ ତିନି ଜଣ ମହିଳା ହୋଇଥିବା କୁହାଯାଉଛି।  ଶୁଭେନ୍ଦୁ ଅଧିକାରୀ  ନିଜର ଭାଷଣ ସାରି ଯିବା ପରେ ଏହି ଘଟଣା ଘଟିଛି। ଆସନସୋଲର ପୂର୍ବତନ ମେୟର ତଥା ବିଜେପି ନେତା ଜିତେନ୍ଦ୍ର ତିଓ୍ଵାରୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆହତଙ୍କୁ ଆସନସୋଲ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କାର୍ଯ୍ୟକ୍ରମରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଘଟଣାକୁ ନେଇ ଟିଏମସି ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ୍ କରିଛି। ଘଟଣାକୁ ନେଇ ଶୁଭେନ୍ଦୁଙ୍କୁ ଦାୟୀ କରିଛି ଶାସକ ଟିଏମସି। ଦଳର ମୁଖପାତ୍ର କୃଣାଲ ଘୋଷ ଅଭିଯୋଗ କରିଛନ୍ତି ଯେ, ବିଜେପି ପୋଲିସ୍‌ର ବିନା ଅନୁମତିରେ ବେଆଇନ ରାଲିର ଆୟୋଜନ କରିଥିଲା। ଗରିବଙ୍କ ଜୀବନ ସହ ଖେଳା ଯାଇଛି। ଆସନସୋଲ ପୋଲିସ୍‌ର ସୂତ୍ର ଅନୁଯାୟୀ, ବିଜେପି କାର୍ଯ୍ୟକ୍ରମ ଅନୁମତି ନେଇନଥିଲା।

କୃଣାଲ ଘୋଷ କହିଛନ୍ତି, ମୁଁ ବିଜେପି ନେତାଙ୍କୁ ପଚାରିବାକୁ ଚାହୁଁଛି ଯେ, ସେମାନେ ଜଣେ ପାଗଳ ବ୍ୟକ୍ତିଙ୍କୁ ନିଜ ପାର୍ଟିର ଦାୟିତ୍ଵ ଦେଇ କଣ କରୁଛନ୍ତି ? ଘଟଣା ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ କ୍ଷମା ମାଗିବା ଉଚିତ୍। ଘଟଣାରେ ଉତ୍ତରଦାୟୀ କାହିଁକି କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.