ମହଙ୍ଗା ପଡ଼ିଲା ମଦ ବେପାରୀଙ୍କ ସହ ଡିଲ୍‌; ୩ କନଷ୍ଟେବଲ ନିଲମ୍ୱିତ  

Published By : Prameya-News7 Bureau | October 20, 2022 IST

ବଲାଙ୍ଗୀର ୨୦/୧୦: ନିଶାବେପାରୀଙ୍କ ସହିତ ସଲାସୁତୁରା କଲାବେଳେ ଧରାପଡ଼ିଲେ ପୋଲିସ କର୍ମଚାରୀ। ଏହି ଅଭିଯୋଗରେ ୩ କନଷ୍ଟେବଲଙ୍କୁ ବିଭାଗୀୟ ଅଧିକାରୀ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଏପରି ଘଟଣା ବଲାଙ୍ଗୀରରେ ଦେଖିବାକୁ ମିଳିଛି। ଏପରି ଅଳ୍ପକିଛି ଅସାଧୁ ପୋଲିସ କର୍ମଚାରୀମାନଙ୍କ ପାଇଁ ପୁରା ବିଭାଗ ବଦନାମ ହେଉଛି। ଖବର ଅନୁସାରେ, ବୁଧବାର ବଲାଙ୍ଗୀର ସହର ସୁଡ଼ପଡାରୁ କୁଚିଆ ମଦ ବ୍ୟବସାୟୀକୁ ୩ ପୋଲିସ କର୍ମଚାରୀ ଧରିଥିଲେ। ପରେ ସେମାନେ ତାଙ୍କ ସହ ବୁଝାମଣା କରି ଥାନାରେ ନ ଜଣାଇ ବେପାରୀଙ୍କୁ ଛାଡ଼ି ଦେଇଥିଲେ। ଏହି ଅଭିଯୋଗରେ ୩ କନେଷ୍ଟେବଲଙ୍କୁ ବଲାଙ୍ଗୀର ଏସପି ନିଲମ୍ବନ କରିଛନ୍ତି।

ନିଲମ୍ୱିତ କନଷ୍ଟେବଲ ପରିଚୟ  ରମାକାନ୍ତ ସୁନା, ବିଜୟ ମୁଦୁଲି ଓ ଭୁବନ ମାଝୀ। ସେମାନେ ଏମାରଜେନ୍ସି ରେସ୍ପପନ୍ସ ୟୁନିଟ ଦାୟିତ୍ୱରେ ଥିଲେ। ରାତି ପେଟ୍ରୋଲିଙ୍ଗ କରିବା ବେଳେ ସେମାନେ ଅଭିଯୁକ୍ତଙ୍କୁ ଧରିଥିଲେ। କିନ୍ତୁ ଏନେଇ ସେମାନେ ସ୍ଥାନୀୟ ଥାନାରେ କୌଣସି ସୂଚନା ଦେଇନଥିଲେ। ଫଳରେ ତାଙ୍କୁ ବଲାଙ୍ଗୀର ଆରକ୍ଷି ଅଧିକ୍ଷକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏହି ୩ କନଷ୍ଟେବଲଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଥିଲା। ସେପଟେ ବଲାଙ୍ଗୀରରେ ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ପରିସର ଭିତରକୁ ଆସିଛି। ଅନ୍ଯପଟେ ଏନେଇ ବଲାଙ୍ଗୀର ଏସପି କୁଶଲକର ନୀତିନ ଦଗଦୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସୂଚନାଥାଉ କି,  ଅଳ୍ପ କିଛିଦିନ ତଳେ କଣ୍ଟାବାଞ୍ଜିରେ ଏସଡିପିଓ ଦାଦନ ସର୍ଦ୍ଦାରଙ୍କୁ ଜୁଆଡ଼ି ସଜାଡି ୨୦ ଲକ୍ଷରୁ ଅଧିକ ଟଙ୍କା ହେରଫେର କରି ନିଲମ୍ବିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.