କରୋନା ମ୍ୟାପ୍ରେ ୩ ନୂଆ ଜିଲ୍ଲା, ସମସ୍ତଙ୍କ ରହିଛି ପଶ୍ଚିମବଙ୍ଗ ଲିଙ୍କ୍
29/04/2020 at 12:39 PM

ଭୁବନେଶ୍ୱର ୨୯।୦୪: ଆଜି ରାଜ୍ୟରେ ଆଉ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ସକାଳ ସମୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା ୩ଜଣ କରୋନା ପଜିଟିଭ୍ ରାଜ୍ୟରେ ତିନୋଟି ନୂଆ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ଝାରସୁଗୁଡା, ଦେଓଗଡ । ଏହି ସବୁ ଜିଲ୍ଲାରୁ ଏହା କରୋନା ଭାଇରସର ପ୍ରଥମ ସଂକ୍ରମିତ ମାମଲା ।
ଆଜି ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ମାନେ ଯଥାକ୍ରମେ ପ୍ରଥମ ଆକ୍ରାନ୍ତ କେନ୍ଦୁଝର ଜିଲ୍ଲାର ପଞ୍ଚପଲ୍ଲୀ ଅଞ୍ଚଳର ୬୦ବର୍ଷୀୟ ପୁରୁଷ, ଦ୍ୱିତୀୟ ଆକ୍ରାନ୍ତ ଦେବଗଡ ଜିଲ୍ଲା ବାସୁଦେବପୁରର ୩୪ବର୍ଷୀୟ ପୁରୁଷ ଏବଂ ତୃତୀୟ ଆକ୍ରାନ୍ତ ଜଣଙ୍କ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳର ୧୮ବର୍ଷୀୟ ଯୁବତୀ ବୋଲି ରାଜ୍ୟର ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସମସ୍ତେ ଆକ୍ରାନ୍ତ କିଛି ଦିନ ତଳେ ପଶ୍ଚିମବଙ୍ଗରୁ ଫେରିଥିଲେ । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିନ୍ତାର କାରଣ ପାଲଟିଛି ପଶ୍ଚିମବଙ୍ଗ ଲିଙ୍କ୍ ।