ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ : ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣଙ୍କୁ ୪ ବର୍ଷ ଜେଲ୍

Published By : Prameya-News7 Bureau | May 12, 2023 IST

ଫୁଲବାଣୀ ୧୨।୫: ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଦୋଷୀମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଭିଯୁକ୍ତମାନଙ୍କୁ ଅଧିକ ୬ ମାସ ଜେଲ୍ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ଅଭିଯୁକ୍ତମାନେ ହେଲେ ଖଜୁରୀପଡା ବ୍ଲକ୍ ଘାଟିତଳ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷକ କିଶୋର କୁମାର ଦାସ, ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପୃଥ୍ବୀରାଜ ଲେଙ୍କା ଓ ବିଦ୍ୟାଳୟ କମିଟି ସଭାପତି ସୁବୀନ୍ଦ୍ର କହଁର ।

ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସର୍ବଶିକ୍ଷା ଅଭିଯାନ ପାଣ୍ଠିରୁ ୯ ଲକ୍ଷ ୯୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଏହି ଅର୍ଥରୁ ୮ ଲକ୍ଷ ୯୬ ହଜାର ଟଙ୍କା ଉଠା ଯାଇଥିଲା । ତେବେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିଲା । ଅଭିଯୁକ୍ତମାନେ କାମ ନକରି ଏହି ଅର୍ଥ ହଡପ କରିବା ଅଭିଯୋଗ ହୋଇଥିଲା । ଏ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ ଡିଏସପି ହରେକୃଷ୍ଣ ବେହେରା ତଦନ୍ତ କରି ଅଭିଯୋଗରେ ସତ୍ୟତା ଥିବା ଜାଣିବା ପରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୩/୧୪ରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ଶୁଣାଣି କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବିଚାରପତି ସମର ବିଳାସ ବେହେରା ୨୧ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭିଭି ରାମଦାସ ପରିଚାଳନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.