ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି ଓଡିଶାରୁ ୩ଜଣ

Published By : Prameya-News7 Bureau | May 30, 2019 IST

ଭୁବନେଶ୍ବର ୩୦|୫:  ଆଜି ଦ୍ବିତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଶପଥ ଗ୍ରହଣ ଉତ୍ସବରେ ମୋଦିଙ୍କ ସହ ନୂଆ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେବେ। ନୂଆ ମନ୍ତ୍ରିମଣ୍ଡଳରେ କିଏ ସୁଯୋଗ ପାଇବେ, କିଏ ବାଦ୍‌ ପଡିବେ କିମ୍ବା କେଉଁ ନୂଆ ମୁହଁକୁ ସୁ‌ଯୋଗ ମିଳିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ଓଡିଶାରୁ ଏଥର ୩ ଜଣ ସାଂସଦ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଓଡିଶାର ୨୧ ‌‌ଲୋକସଭା ଆସନରୁ ଚଳିତ ଥର ବିଜେପି ୮ଜଣ ସାଂସଦ ବିଜୟୀ ହୋଇଛନ୍ତି । ତେଣୁ କେନ୍ଦ୍ର ମନ୍ତ୍ରିମଣ୍ଡଳ‌ରେ ଓଡିଶାରୁ ଏଥର ପ୍ରତିନିଧିତ୍ବ ବୃଦ୍ଧି ପାଇବ ବୋଲି କୁହାଯାଉଛି। ୨୦୧୪ରେ ଓଡିଶାରୁ ଦୁଇ ଜଣ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ। ଏଥର ଜୁଏଲ୍‌ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି।

ଅନ୍ୟପଟେ ଆଉ ଜଣେ ସାଂସଦଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଭୁବନେଶ୍ବରରୁ ନିର୍ବାଚିତ ହୋଇଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ ଏବଂ ସୁରେଶ ପୂଜାରୀଙ୍କ ନାଁ ଚର୍ଚ୍ଚାରେ ରହିଛି। ଅପରାଜିତାଙ୍କୁ ନୂଆ ସରକାରରେ ରାଷ୍ଟ୍ରମନ୍ତ୍ରୀ ପଦ ମିଳିବାର ସମ୍ଭାବନା ଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.