ମୃତ ହାତୀକୁ ବନ କର୍ମଚାରୀ ପୋଡ଼ି ଭସାଇବା ଘଟଣା; ୩ ବନ କର୍ମଚାରୀ ନିଲମ୍ୱିତ

Published By : Prameya-News7 Bureau | December 12, 2022 IST

ବାରିପଦା ୧୨/୧୨: ଶିମିଳିପାଳ ଜେନାବିଲ ରେଞ୍ଜରେ ହାତୀ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଆରସିସିଏଫ। ବନ ବିଭାଗ ଅଧିକାରୀମାନେ ହାତୀମୃତ୍ୟୁର ତଦନ୍ତ ନକରି ମୃତ ହାତୀକୁ ପୋଡ଼ି ନଦୀରେ ଭସାଇଥିବା ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ନଭେମ୍ବର ୨ରେ ଜଣେ ବନ କର୍ମଚରୀ କଲ୍‌ରେ ଜଣାଇବା ପରେ ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିଲା। ଖବର ପାଇବା ପରେ ଜେନାବିଲ ରେଞ୍ଜ ଅଞ୍ଚଳରେ ସମସ୍ତ କର୍ମଚାରୀଙ୍କୁ ଏକାଠି କରି ତଦନ୍ତ କରିଥିଲେ ଆର.ସି.ସି.ଏଫ। ମୃତ ହାତୀର ଦେହାବିଶେଷକୁ ପୋଡ଼ି ନଦୀରେ ଭସାଇବା କଥାକୁ ଆରସିସିଏଫଙ୍କ ପାଖରେ ଜେନାବିଲର ଭାରପ୍ରାପ୍ତ ରେଞ୍ଜର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସ ସ୍ବୀକାର କରିଛନ୍ତି।

କାର୍ଯ୍ୟରେ ଅବହେଳା ପାଇଁ ଉପରୋକ୍ତ ୩ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ତଦନ୍ତ ଚଳାଇଛି। ସେପଟେ ଅନ୍ୟ ଅଧିକାରୀଙ୍କ ସହ ସଂପୃକ୍ତି ଥିବା ଘଟଣାରେ ଧରା ପଡିବା ଡରରେ ଅନ୍ୟ ଜଣେ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଗୁରୁତର ହୋଇ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବନ କର୍ମଚାରୀଙ୍କ ପରିଚୟ ତୁରାମ ପୂର୍ତ୍ତି। ସେ ବକୁଆ ଗାଁର ବାସିନ୍ଦା। ଏନେଇ ସମସ୍ତ ଘଟଣା ବିଷୟରେ ସୂଚନା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ଟି ଅଶୋକ କୁମାର ଦେଇଛନ୍ତି।

ତେବେ ବନ ବିଭାଗର ଦୋଷ ଦୁର୍ବଳତା ପଦାରେ ପଡ଼ିବା ପରେ ଭୁବନେଶ୍ୱରରୁ ପି.ସି.ସି.ଏଫ୍ ଙ୍କ ନିର୍ଦ୍ଦେଶରେ ଆଜି ସି.ସି.ଏଫ ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ରେଞ୍ଜ  ଯାଞ୍ଚ କରିଛନ୍ତି। ନଭେମ୍ୱର ୨ ତାରିଖରେ କଲ୍‌ ମାଧ୍ୟମରେ ଘଟଣାର ସୂଚନା ମିଳିଥିଲା। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପରେ ଡିସେମ୍ବର ୭ରେ ପ୍ରାଥମିକ ତଦନ୍ତ ପରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପଟେ ୨୦୧୦ରୁ ୧୨ମସିହାରେ ୧୮ଟି ହାତୀକୁ ଶିକାରୀ ବିଷଦେଇ ମାରିବା ପରେ ଦାନ୍ତ କାଟି ନେଇଯାଇଥିଲେ। ହେଲେ ଏଥିରେ ମଧ୍ୟ ବନ କର୍ମଚାରୀମାନଙ୍କ ସମ୍ପୃକ୍ତି ପଦାରେ ପଡିଥିଲା। କିନ୍ତୁ  ତଦନ୍ତ ବାଟବଣା ହୋଇଥିବାରୁ ଏଭଳି ଘଟଣା ପୁନରାବୃତ୍ତି ହୋଇଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.