ଚିକିତ୍ସାଧିନ ଅବସ୍ଥାରେ ୩ଶିଶୁ ମୃତ, ପାଳଗଦାରେ ନିଆଁ ଲାଗି ଗୁରୁତର ହୋଇଥିଲେ ୪ଶିଶୁ
23/02/2020 at 1:54 PM

ବ୍ରହ୍ମପୁର ୨୩।୨: ପାଳ ଗଦାରେ ନିଆଁ ଲାଗି ପୋଡି ହୋଇ ଗୁରୁତର ହୋଇଥିବା ୪ ଶିଶୁଙ୍କ ମଧ୍ୟରୁ ୩ ଶିଶୁଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଆଉ ଜଣେ ଶିଶୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଶିଶୁ ହେଲେ ଦୀପକ ଗୌଡ, ସାଇରାମ ଜାନି ଓ ଇତି ଜେନା ।

୩ ଶିଶୁଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ଶିଶୁଙ୍କର ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁତର ଶିଶୁର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପୋଲସରା ଖଇରଛଟା ଗାଁରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ଖଇରଛଟା ଗାଁର ୪ ଶିଶୁ ପାଳ ଗଦା ନିକଟରେ ଖେଳୁଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲାଗି ୪ ଜଣ ଶିଶୁ ଗୁରୁତର ହୋଇଥିଲେ । ଶିଶୁଙ୍କର ଶରୀରର ୮୦ ଭାଗ ପୋଡି ଯାଇଥିଲା । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।