ନାକଚଣାରେ ଦର୍ପଦଳନ ଓ ତାଳଧ୍ଵଜ, ଆସନ୍ତାକାଲି ନନ୍ଦିଘୋଷର ହେବ ଦକ୍ଷିଣ ମୋଡ଼, ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ
25/06/2023 at 8:06 PM

ପୁରୀ: ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ରଥ ଗୁଡ଼ିକର ଦକ୍ଷିଣ ମୋଡ଼ କରାଯାଇଛି। ତେବେ ୨ ରଥର ଦକ୍ଷିଣମୋଡ କରାଯାଇଥିବା ବେଳେ ବର୍ଷା ଯୋଗୁଁ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇ ପାରିନାହିଁ। ସେପଟେ ଚଳିତବର୍ଷ ଗୁଣ୍ଡିଚା ମନ୍ଦିରରେ ଅପରାହ୍ନ ୫ ଟା ଯାଏଁ ହେବନବମୀ ସନ୍ଧ୍ୟା ଦର୍ଶନ। ଜିଲ୍ଲାପାଳଙ୍କ ସହ ଦଇତାପତି ଓ ଅନ୍ୟ ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ୨୮ ତାରିଖରେ ବାହୁଡାଯାତ୍ରା। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଆଜି ସମସ୍ତ ନୀତିକାନ୍ତି ସରି ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀଙ୍କ ଦ୍ବାରା ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଦର୍ପଦଳନ ପରେ ତାଳଧ୍ଵଜ ରଥର ଦକ୍ଷିଣ ମୋଡ କରାଯାଇଥିଲା। ପ୍ରବଳ ବର୍ଷାରେ ଏହି ୨ ରଥର ଦକ୍ଷିଣ ମୋଡ଼ କରାଯାଇଛି। ଏବେ ନାକଚଣା ଦ୍ଵାର ଆଗରେ ତାଳଧ୍ଵଜ ଏବଂ ଦର୍ପଦଳନ ରଥ ରହିଛି। ଆସନ୍ତାକାଲି ନନ୍ଦିଘୋଷର ଦକ୍ଷିଣ ମୋଡ଼ କରାଯିବ।

ତେବେ ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିବାରେ ସାମିଲ ହୋଇଛନ୍ତି। ଏହା ବାହୁଡା ଯାତ୍ରାର ଅୟମାରମ୍ଭ। ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଆସନ୍ତା ୨୮ ତାରିଖ ରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତ ଶ୍ରଦ୍ଧାଳୁ କେବଳ ଅପରାହ୍ନ ୫ ଟା ଯାଏଁ ହିଁ ଦର୍ଶନ କରିପାରିବେ। ୨୮ ତାରିଖ ବାହୁଡା଼ ପାଇଁ ଶୀଘ୍ର ସମସ୍ଥ ନୀତିକାନ୍ତି କରାଯିବ |

ରଥ ଯାତ୍ରା ପରି ବାହୁଡ଼ା ଯାତ୍ରାରେ ସଅଳ ନୀତିକାନ୍ତି କିଭଳି କରାଯିବ ସେନେଇ ଜିଲ୍ଲପାଳଙ୍କ ସହ ଦଇତାପତି ନିଯୋଗର ଆଲୋଚନା ହୋଇଛି। ୨୯ ତାରିଖ ସୁନାବେଶରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ କରିବା ନେଇ ଆଲୋଚନା ହୋଇଛି। ରଥ ଦକ୍ଷିଣମୋଡ଼ ସମୟରେ ରଥ ଦଉଡ଼ି ଟାଣିବା ପାଇଁ ଭକ୍ତ ,ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଥିଲା।