Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ତାଳଧ୍ଵଜ-ଦେବଦଳନ ପରେ ପହଞ୍ଚିଲା ନନ୍ଦିଘୋଷ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ

1/07/2022 at 7:59 PM

ପୁରୀ:  ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ହେଲା ଅପୂର୍ବ ମିଳନ । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ହେଲା ନୀତିକାନ୍ତି । ଘଣ୍ଟ ଘଣ୍ଟା ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଲା ବଡ଼ଦାଣ୍ଡ । ଘର ଘର ନାଦ କରି ବଡ଼ଦାଣ୍ଡରେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ଓ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ତିନି ରଥ ଶରଧାବାଲିରେ ପହଞ୍ଚି ସାରିଛି।  

ପତିତ ଉଦ୍ଧାର ପାଇଁ ରତ୍ନ ସିଂହାସନରୁ ଓହ୍ଲାଇ ଆସିଲେ ପତିତପାବନ । ବଡ଼ଦାଣ୍ଡରେ ହେଲା ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ । ୨ବର୍ଷ ପରେ ଭକ୍ତଙ୍କ ଗହଣରେ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ନିର୍ଦ୍ଧାରିତ ସମୟର ଢ଼େର ପୂର୍ବରୁ ହେଲା ନୀତିକାନ୍ତି । ଭୋର୍ ୩ଟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହୋଇଥିଲା ମଙ୍ଗଳ ଆଳତୀ, ସାଢ଼େ ୩ଟାରେ ଶେଷ ହୋଇଥିଲା ମଇଲମ ନୀତି । ସକାଳ ପ୍ରାୟ ୬ଟା ବେଳକୁ ହୋଇଥିଲା ରଥ ପ୍ରତିଷ୍ଠା କାର୍ଯ୍ୟ । ନୀତିକାନ୍ତି ୩ଘଣ୍ଟା ଆଗୁଆ ଚାଲିଥିବାରୁ ସକାଳ ୬ଟାରୁ ଆରମ୍ଭ ହୋଇଯାଇଥିଲା ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ।

ପ୍ରଥମେ ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି କରିଥିଲେ ସେବାୟତମାନେ । ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥରେ ପ୍ରଭୁ ସୁଦର୍ଶନ ବିରାଜିବା ପରେ ବଡ଼ ଠାକୁର ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ଟାହିଆ ଲଗାଇ ଝୁଲି ଝୁଲି ବଡ଼ ଦେଉଳରୁ ବାହାରିଥଇଲେ ବଡ଼ ଠାକୁର । ହରିବୋଲ ହୁଳହୁଳିରେ କମ୍ପୁଥିଲା ପରିବେଶ । ଘଣ୍ଟଘଣ୍ଟା, ବୀର କାହାଳୀ ଶବ୍ଦରେ ଫାଟିପଡ଼ୁଥିଲା ଗଗନପବନ । ତାଳଧ୍ବଜ ରଥରେ ବିରାଜମାନ କରିଥିଲେ ମହାପ୍ରଭୁ ବଳଭଦ୍ର । ବଡ଼ ଭାଇଙ୍କ ପହଣ୍ଡି ପରେ ପାଳି ଥିଲା ହଳଦୀ ମୁହିଁ ଭଉଣୀ ଦେବୀ ସୁଭଦ୍ରାଙ୍କର । ଟୋପର ଲଗାଇ ସେବାୟତଙ୍କ ପିଠିରେ ପହଣ୍ଡି ହୋଇଥିଲେ  ମାତା କାମ୍ପିଲ୍ୟ ବାସିନୀ । ଦର୍ପଦଳନ ରଥରେ ମା` ବିଜେ କରାଯାଇଥିଲା । ସଭା ଶେଷରେ ପତିତ ଉଦ୍ଧାର ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସିଥିଲେ ପତିତପାବନ କାଳିଆ ଠାକୁର । ବାଇଶି ପାହାଚରୁ ସିଂହଦ୍ବାର ଯାଏ ବିଶ୍ବ ନିୟନ୍ତାଙ୍କ ଭାବଭଙ୍ଗୀକୁ ଚାତକ ଭଳି ଅନାଇ ରହିଥିଲା ଭକ୍ତ ।

ମହାପ୍ରଭୁଙ୍କୁ ଦର୍ଶନ ମାତେ ଶ୍ରଦ୍ଧାଳୁଙ୍କ ଶରୀରରେ ଖେଳି ଯାଉଥିଲା ଅପୂର୍ବ ଶିହରଣ । ଭକ୍ତ ବତ୍ସଳ ଠାକୁର ବୁଲି ବୁଲି ଦେଖୁଥିଲେ ନିଜ ଭକ୍ତମାନଙ୍କୁ । କେତେବେଳେ ବାଁକୁ ତ କେତେବେଳେ ଡାହାଣକୁ ଢ଼ଳି ପଡ଼ି ଚାହୁଁଥିଲେ ଭାବ ବିନୋଦିଆ । ନୀଳ କନ୍ଦରରୁ ବାହାରି ଆସୁଥିବା ନୀଳ ଶଇଳଙ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲା ନନ୍ଦିଘୋଷ ରଥ । ଜଗତ ଠାକୁର ଜଗନ୍ନାଥଙ୍କୁ ନନ୍ଦିଘୋଷରେ ବିଜେ କରାଇଥିଲେ ଦଇତାପତି ସେବକମାନେ । ଦିନ ୧୦ଟା ପୂର୍ବରୁ ରଥାରୁଢ଼ ହୋଇସାରିଥିଲେ ଚତୁରର୍ଦ୍ଧା ମୂରତି । ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟ ।  ଏହା ପରେ ରଥରେ ଛେରା ପହଁରା ପାଇଁ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ  ଆଦ୍ୟ ସେବକ ଗଜପତି ଯଥାରିତି ଗୋଟିକ ପରେ ଗୋଟିଏ ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ । ଦିନ ୧୨ଟା ୩୪ ବେଳକୁ ଆରମ୍ଭ ହୋଇଥିଲା ରଥ ଟଣା ।

ସିଂହଦ୍ବାର ସାମ୍ନାରୁ ଶ୍ରୀଗୁଣ୍ଡିଚା ଅଭିମୁଖେ ପ୍ରଥମେ ଗଡ଼ିଥିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ।  ପରେ ପରେ ଅହରାହ୍ଣ ୧ଟା ୧୫ ବେଳକୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଥିଲା । ଆଉ ଶେଷରେ ୨ଟା ୧୮ ମିନିଟ୍ରେ ଗଡ଼ିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବଡ଼ଦାଣ୍ଡରେ ଜନ ସମୁଦ୍ର ଭିତରେ ଆଗପଛ ହୋଇ ଗଡ଼ୁଥିଲା ତିନି ରଥ ।  ରଡ଼ି ଛାଡ଼ି ଭକ୍ତମାନଙ୍କୁ ରଥ ଟାଣିବାକୁ ଉତ୍ସାହିତ କରୁଥିଲେ ରଥ ଉପରେ ଠିଆ ହୋଇଥିବା ଡାହୁକ । ଆଉ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ପୁରୀ ବଡ଼ଦାଣ୍ଡ । ରଥ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ରଥଟଣା ସମୟରେ ପୁରୀର ବିଭିନ୍ନ ମଠ, ଜାଗା ଅନୁଷ୍ଠାନ ତରଫରୁ ଠାକୁରମାନଙ୍କ ଉଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ପନ୍ତିଭୋଗ ଦିଆଯାଉଥିଲା । ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ମଧ୍ୟ ଠାକୁରଙ୍କୁ ପନ୍ତିଭୋଗ ଦିଆଯାଇଥିଲା । ସେହିଭଳି ପରମ୍ପରା ଅନୁସାରେ ବଡ଼ ଦାଣ୍ଡରେ ଅବସ୍ଥିତ ମାଉସୀମାଆଙ୍କ ମନ୍ଦିର ଠାରେ ଶ୍ରୀଜିଉମାନଙ୍କୁ ପୋଡ଼ପିଠା ଭୋଗ ଲାଗି ହୋଇଥିଲା । ଘଣ୍ଟଘଣ୍ଟା, ହରିବୋଲ ହୁଳହୁଳି, ନାମ ସଂକୀର୍ତ୍ତନରେ ଅଧାତ୍ମିକ, ଭକ୍ତମୟ ହୋଇଉଠିଥିଲା ବଡ଼ଦାଣ୍ଡ । ଶେଷରେ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ  ଶରଧା ବାଲିରେ ଲାଗିଥିଲା ତିନି ରଥ ।

   Related Posts