ଦେଶରେ ୨୬/ ୧୧ ଭଳି ଆକ୍ରମଣ ଆଶଙ୍କା ! ପଶ୍ଚିମବଙ୍ଗରୁ NIA ନିକଟକୁ ଆସିଲା ଧମକପୂର୍ଣ୍ଣ ଫୋନ

Published By : Prameya-News7 Bureau | June 08, 2021 IST

ନୂଆଦିଲ୍ଲୀ ୦୮/ ୦୬ : ଜାତୀୟ ତଦନ୍ତକାରୀ ସଂସ୍ଥା (NIA) କୁ ମିଳିଛି ଧମକପୂର୍ଣ୍ଣ କଲ । ଖୁବ ଶୀଘ୍ର ଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହେବାକୁ ଯାଉଛି ବୋଲି ଫୋନ କରିଥିବା ବ୍ୟକ୍ତି କହିଛି । ଏପରିକି ୨୬/ ୧୧ରେ ହୋଇଥିବା ମୁମ୍ବାଇର ତାଜ ହୋଟେଲ ଆକ୍ରମଣ ଭଳି ଯୋଜନା କରୁଛନ୍ତି ଆତତାୟୀ ! ଏ ନେଇ ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ତଦନ୍ତ ବେଳେ NIA ଜାଣିବାକୁ ପାଇଛି ଯେ, ଫୋନ ପଶ୍ଚିମବଙ୍ଗର ରାନାଘାଟ ଅଞ୍ଚଳରୁ ଆସିଥିଲା । ତଦନ୍ତ ପାଇଁ ସେଠାକୁ ଏକ ସ୍ବତନ୍ତ୍ର ଟିମ ପଠାଯାଇଥିବା ଖବର ମିଳିଛି । ଏହି ଧମକପୂର୍ଣ୍ଣ ଫୋନ କଲ ପରେ ସୁରକ୍ଷା ଏଜେନ୍ସି ଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ଜୁନ ୩ ତାରିଖରେ NIAର ଜଣେ ଅଧିକାରୀଙ୍କ ନିକଟକୁ ଆସିଥିବା ଧମକପୂର୍ଣ୍ଣ ଫୋନ କଲ । ଫୋନ କରିଥିବା ବ୍ୟକ୍ତିଜଣକ କୌଣସି ପରିଚୟ ନଦେଇ, ଖୁବ ଶୀଘ୍ର ଦେଶର ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ବଡ ଧରଣର ଆକ୍ରମଣ ହେବାକୁ ଯାଉଛି ବୋଲି କହିଥିଲା । ଏହା ସହିତ ବିସ୍ଫୋରଣରେ ଷ୍ଟିଲ ବୁଲେଟ ଏବଂ ଆଇଡି ବ୍ୟବହାର କରାଯିବାକୁ ଧମକ ଦେଇଥିଲା ।

୨୦୦୮ ମସିହା ନଭେମ୍ବର ମାସ ୧୧ ତାରିଖରେ ମୁ‌ମ୍ବାଇର ତାଜ ହୋଟେଲରେ ଯେଉଁଭଳି ଭାବେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ସେହିଭଳି ଦେଶର କିଛି ସ୍ଥାନରେ ଖୁବ ଶୀଘ୍ର ଆକ୍ରମଣ ହେବ ବୋଲି ଧମକପୂର୍ଣ୍ଣ କଲ ଆସିଛି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶର ବିଭିନ୍ନ ଯାଞ୍ଚ ଏଜେନ୍ସିଗୁଡିକୁ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ଫୋନ ଆସିଥିବା ନମ୍ବର କାହା ନାଁରେ ଅଛି ସେ ନେଇ ମଧ୍ୟ ତଦନ୍ତ କରୁଛି NIA ।

ଗତ ବର୍ଷ ଅକ୍ଟୋବର ୨୦ ରେ, NIA ର କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା ​​। କଲ୍ କରିଥିବା ବ୍ୟକ୍ତି, ପାକିସ୍ତାନର କରାଚିରୁ କହୁଥିବା ସୂଚନା ଦେଇଥିଲା । ଏହା ସହିତ ମୁମ୍ବାଇ ବନ୍ଦର ଏବଂ ଭାରତୀୟ ପୋଲିସ ପ୍ରତିଷ୍ଠାନ ଉପରେ ଏକ ବଡ଼ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଇ-ଅହମ୍ମଦ ପ୍ରସ୍ତୁତି ଚଳାଇଥିବା କହିଥିଲା । ସେ ଆହୁରି ମଧ୍ୟ କହିଥିଲା ଯେ, ଆତ୍ମଘାତୀ ଆକ୍ରମଣ ପାଇଁ ଜୈଶ ମୁଖ୍ୟ ମାସୁଦ ଅଜହର ଏବଂ ତାର ଭାଇ ଅବଦୁଲ ଅସଗର ୨୨ ଜଣିଆ ଆତଙ୍କବାଦୀ ଟିମ ପ୍ରସ୍ତୁତି କରିଛନ୍ତି । ଏହା ପରେ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଥିଲେ କିନ୍ତୁ ସେଭଳି କୌଣସି ପରିସ୍ଥିତି ସୃଷ୍ଟି ହୋଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.