ପ୍ରଦର୍ଶନକାରୀ ରେସଲରଙ୍କ ସହିତ ଏକଜୁଟତା ଦେଖାଇବା ପାଇଁ ଦିଲ୍ଲୀ ପହଞ୍ଚିବେ ହଜାର ହଜାର କୃଷକ

Published By : Prameya-News7 Bureau | May 06, 2023 IST

ନୂଆଦିଲ୍ଲୀ:  ଯୌନ ଉତ୍ପୀଡନର ଅଭିଯୁକ୍ତ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ହଜାର ସଂଖ୍ୟକ କୃଷକ ମେ ୭ରେ ଜନ୍ତର ମନ୍ତରରେ ପହଞ୍ଚିବେ। ସଂଯୁକ୍ତ କିଷାନ ମୋର୍ଚ୍ଚାର ବ୍ୟାନରରେ କୃଷକମାନେ ମହିଳା ରେସଲରଙ୍କ ସମର୍ଥନରେ ଦେଶବ୍ୟାପୀ ଆନ୍ଦୋଳନ ଏବଂ ବିରୋଧ ପ୍ରଦର୍ଶନର ଘୋଷଣା କରିଛନ୍ତି। ଦିଲ୍ଲୀର ଜନ୍ତର ମନ୍ତରରେ ଖାପ୍ ସଂଗଠନ ଦ୍ଵାରା ପହିଲମାନଙ୍କୁ ସମର୍ଥନ ଦେବା ପାଇଁ ଆହୂତ ମହାପଞ୍ଚାୟତର ଗୋଟିଏ ଦିନ ପୂର୍ବରୁ ଏହି ଘୋଷଣା କରାଯାଇଛି।

କୃଷକ ସଂଘ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତାଙ୍କ ନାମରେ ପୋକ୍ସୋ ଆକ୍ଟ ଆଧାରରେ ଦୁଇଟି ମାମଲା ରୁଜୁ ହୋଇଛି। ମେ ୭ ତାରିଖରେ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ସଂଯୁକ୍ତ କିଷାନ ମୋର୍ଚ୍ଚାର ଅନେକ ବରିଷ୍ଠ ନେତା ଶତାଧିକ କୃଷକଙ୍କ ସହିତ ପହିଲମାନଙ୍କୁ ନିଜର ସମର୍ଥନ ଜଣାଇବା ପାଇଁ ଜନ୍ତର ମନ୍ତର ଗସ୍ତ କରିବେ।

ବ୍ରିଜଭୂଷଣଙ୍କ ଗିରଫଦାରୀ ଦାବି ନେଇ ଏସକେଏମ ନେତାମାନେ ଦିଲ୍ଲୀ ପୋଲିସ କମିଶନର, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିବାର ଆଶା କରାଯାଉଛି। ମେ ୧୧ରୁ ମେ ୧୮ ପର୍ଯ୍ୟନ୍ତ କୃଷକ ସଂଗଠନ ସମସ୍ତ ରାଜ୍ୟର ରାଜଧାନୀ ଏବଂ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.