ହଜାର ହଜାର ମହୁମାଛି କରିଥିଲେ ଆକ୍ରମଣ, ମୃତ୍ୟୁମୁଖରୁ ବଞ୍ଚାଇଦେଲେ ଡାକ୍ତର
13/12/2022 at 10:27 PM

ଇନ୍ଦୋର, ୧୩/୧୨: କୁହାଯାଏ ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଲୋକଲୋଚନରେ ବ୍ୟବହାର ହେଉଥିବା ଏହି ଉକ୍ତି ସତ ପ୍ରମାଣିତ ହୋଇଛି ଜଣେ ଯୁବକଙ୍କ କ୍ଷେତ୍ରରେ। ଆଉ ସତକୁ ସତ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଖଣ୍ଡବାର ଏକ ଗ୍ରାମରେ। ଯେଉଁଠାରେ କ୍ଷେତକୁ ଯାଇଥିବା ଜଣେ ଯୁବକଙ୍କୁ ହଜାରରୁ ଅଧିକ ମହୁମାଛି ଆକ୍ରମଣ କରିଥିଲେ। ଏମିତି କୌଣସି ଅଙ୍ଗ ନଥିବ ଯେଉଁଠାକୁ ମହୁମାଛି ଆକ୍ରମଣ କରିନଥିବେ। କିନ୍ତୁ ପରିବାର ଲାକେ ବହୁ ଚେଷ୍ଟା କରି ତାଙ୍କ ଜୀବନ ବଞ୍ଚାଇଛନ୍ତି।
ଅବିନାଶ ମାଲବୀୟ ନାମକ ଜଣେ ଚାଷୀ ୧୧ ନଭେମ୍ବରରେ କ୍ଷେତକୁ ଯାଇଥିଲେ। ଆଉ ହଠାତ୍ ତାଙ୍କ ଉପରେ ହଜାର ହଜାର ମହୁମାଛି ଆକ୍ରମଣ କରିଥିଲେ । ମହୁମାଛିଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଜୀବନ ବିକଳରେ ସେ ଦୌଡ଼ି ଦୌଡ଼ି ଘରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ମହୁମାଛି ତାଙ୍କୁ ଅଧମରା କରିସାରିଥିଲେ। ଅବିନାଶଙ୍କ ଶରୀର ସଂପୂର୍ଣ୍ଣ ଭାବରେ ଫୁଲିଯାଇଥିଲା ଏବଂ ସେ ବେହୋସ୍ ହୋଇଯାଇଥିଲେ। ତାଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୭୨ ଘଣ୍ଟା ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା କରିଥିଲେ। ଏହା ସହ ପ୍ଲାଜମା ଏକ୍ସଚେଞ୍ଜ ଦ୍ବାରା ତାଙ୍କର ଜୀବନ ବଞ୍ଚାଯାଇଥିଲା।
ପ୍ରାୟ ୧ ମାସ ପର୍ଯ୍ୟନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ଡାକ୍ତର କହିଛନ୍ତି ମେଡିକାଲ ରିସର୍ଚ୍ଚ ଅନୁଯାୟୀ ସାପ କାମୁଡ଼ିଲେ ଚିକିତ୍ସା ରହିଛି କିନ୍ତୁ ମହୁମାଛି କାମୁଡ଼ିଲେ ବିଷାକ୍ତ ପ୍ରଭାବର କୌଣସି ଚିକିତ୍ସା ନାହିଁ। ଆଉ ଏମିତିରେ ଯେତେବେଳେ ହଜାର ହଜାର ମହୁମାଛି କାମୁଡ଼ିବେ ତେବେ ବଞ୍ଚିବା ଅସମ୍ଭବ ହୋଇପଡ଼େ। କିନ୍ତୁ ଏହି ଯୁବକଙ୍କ ଜୀବନ ରକ୍ଷା ପାଇଯାଇଛି। ଡାକ୍ତର କହିଥଲେ ତାଙ୍କର ଅବସ୍ଥା ଗୁରୁତର ରହିଥିଲା। ଡାକ୍ତର କହିଥିଲେ ତାଙ୍କର ଶରୀରରେ ଗଭୀର କ୍ଷତ ହୋଇଯାଇଥିଲା। ତାଙ୍କ ଶ୍ବାସକ୍ରିୟାରେ ବାଧା ଉପୁଜିଥିଲା ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
