ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ହେଉହେଉ ପାକିସ୍ତାନ ପହଞ୍ଚିଗଲେ କେଜରିୱାଲ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ ୨୨।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର କହିଛନ୍ତି ଯେ ଯଦି ମେଣ୍ଟ (ଇଣ୍ଡିଆ ଆଲାଏନ୍ସ)ର ବିଜୟ ହୁଏ ତେବେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ସେ କହିଛନ୍ତି ଯେ ତାଙ୍କର ଲକ୍ଷ ଦେଶ ଓ ଗଣତନ୍ତ୍ରକୁ ପ୍ରଚଳିତ ‘ଏକଛାତ୍ରବାଦ’   ରୁ ରକ୍ଷାକରିବା। ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଆମ ଆଦମୀ ପାର୍ଟି (ଆପ) ସୁପ୍ରିମୋ କହିଛନ୍ତି ଯେ ଯଦି ବିଜେପି ପୁଣି ଥରେ କ୍ଷମତାକୁ ଫେରେ ତେବେ ସବୁ ବିରୋଧୀ ଦଳ ନେତା ଜେଲକୁ ଯିବେ ଓ ସେମାନେ ନିର୍ବାଚନଗୁଡିକୁ ଅକ୍ତିଆର କରିନେବେ। 

କେଜରିୱାଲ କହିଛନ୍ତି ଯେ ‘ଇଣ୍ଡିଆ’ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ହେବ। ସେ କୌଣସି ଦଳର ନାମ ନନେଇ ଏବେକା ଲୋକସଭା ନିର୍ବାଚନ ଦେଶକୁ ଏକଛାତ୍ରବାଦୀ ସରକାରଙ୍କ ହାତରୁ ମୁକାଳିବାକୁ ହେଉଛି। ଏହା ସତ୍ତ୍ୱେ ଯଦି ସେମାନେ ପୁଣି କ୍ଷମତାକୁ ଫେରନ୍ତି ତେବେ ଦେଶରୁ ଗଣତନ୍ତ୍ର ସମାପ୍ତ ହୋଇଯିବ। ଦେଶରେ ନିର୍ବାଚନ ହେବ ନାହିଁ, ଯଦି ବି ହେବ ଋଷିଆ ଭଳି ହେବ ବୋଲି କହିଛନ୍ତି।  ସେ କହିଛନ୍ତି ଯେ ପୁଟିନ ହୁଏତ ପୁରାବିପକ୍ଷଙ୍କୁ ଜେଲ ପଠାଇ ଦେଇଛନ୍ତି ନଚେତ ସେମାନଙ୍କୁ ସମାପ୍ତ କରିଦେଇଛନ୍ତି। ଏଣୁ ନିର୍ବାଚନ କରାଇ ୮୭ ପ୍ରତିଶତ ଭୋଟ ପାଇଛନ୍ତି। 

କେଜରିୱାଲ ତାଙ୍କ କଥାକୁ ବୁଝାଇବା ପାଇଁ ପାକିସ୍ତାନର ଉଦାହରଣ ଦେଇଛନ୍ତି। କହିଛନ୍ତି ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଜେଲକୁ ପଠାଇ ଦିଆଗଲା ଓ ତାଙ୍କ ପାର୍ଟିର ନିର୍ବାଚନ ଚିହ୍ନ ଛଡେଇ ନିଆଗଲା। ଭାରତରେ ଆଗକୁ  ବିଜେପି ଏପରି କରିବ। ଆମ ଆଦମୀ ପାର୍ଟି ନେତାମାନଙ୍କୁ ଜେଲ ପଠାଇବେ, ମମତା ବାନାର୍ଜୀଙ୍କୁ ଜେଲ ପଠାଇବ କାହାରିକୁ ବି ଛାଡିବେନି। ସମସ୍ତେ ଜେଲରେ ରହିବେ ଓ ସେମାନେ ନିର୍ବାଚନ ପରେ ନିର୍ବାଚନ ଜିତୁଥିବେ। ଦିଲ୍ଲୀର ୭ଟି ଲୋକସଭା ଆସନରେ ମେଣ୍ଟ ପ୍ରାର୍ଥୀମାନେ ଜିତୁଥିବା କେଜରିୱାଲ ଦୃଢତାର ସହ କହିଛନ୍ତି। 

ସେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ଧିରେଧିରେ ୩୦୦ ଆଡକୁ ଅଗ୍ରସର ହେଉଛି। ମେଣ୍ଟ ନିଜ ସାମର୍ଥ୍ୟରେ ସରକାର କରିବ, ଯାହା ଏକ ଭଲ ଓ ସ୍ଥିର ସରକାର ହେବ। ଏଥିରେ ସେ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ହେବେ କି ବୋଲି ଗଣମାଧ୍ୟମ ପ୍ରଶ୍ନ କରିବାରୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର ଉଦ୍ଦେଶ୍ୟ ନଥିବା କହିଛନ୍ତି। ଆମ ଆଦମୀ ପାର୍ଟି ମାତ୍ର ୨୨ଟି ଆସନରେ ନିର୍ବାଚନ ଲଢୁଥିବା ଏକ ଛୋଟ ପାର୍ଟି ବୋଲି ସେ କହିଛନ୍ତି। ସେହିପରି ରାହୁଲ ଗାନ୍ଧିଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ସ୍ୱୀକାର କରିବେ କି ବୋଲି ପଚରା ଯିବାରେ ଏପରି କୌଣସି ଚର୍ଚ୍ଚା ହୋଇ ନାହିଁ ବୋଲି କହିଛନ୍ତି। ନିର୍ବାଚନ ଫଳାଫଳ ଆସିବା ପରେ ସମସ୍ତେ ବସି ପ୍ରଧାନମନ୍ତ୍ରୀ ଚେହେରା ଚୂଡ଼ାନ୍ତ କରିବେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.