ମଠ ସାରା ନିଶାଡି ସନ୍ନ୍ୟାସୀ, ଡ୍ରଗ୍ସ ଟେଷ୍ଟରେ ବିଫଳ ପରେ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କଲା ପୋଲିସ
29/11/2022 at 6:13 PM

ବ୍ୟାଙ୍କକକ୍: ସାରା ଦୁନିଆରେ ବୌଦ୍ଧ ଧର୍ମକୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ବେଶ ଅଧିକ ରହିଛି । ହଜାର ହଜାର ସଂଖ୍ୟାରେ ବୌଦ୍ଧ ମନ୍ଦିର ରହିଛି ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ମଧ୍ୟ । କେନ୍ଦ୍ରୀୟ ଥାଇଲାଣ୍ଡରେ ମଧ୍ୟ ଏହିପରି ଏକ ବୌଦ୍ଧ ମନ୍ଦିର ରହିଛି ଯେଉଁଠିକୁ ପ୍ରତିଦିନ ବୌଦ୍ଧ ଧର୍ମାବଲମ୍ୱୀ ଦର୍ଶନ ପାଇଁ ଯାଆନ୍ତି । କିନ୍ତୁ ଆଜି ଏହି ମନ୍ଦିର ବୌଦ୍ଧ ଭିକ୍ଷୁ ଏବଂ ମଠାଧୀଶ ଶୂନ୍ୟ ହୋଇଛି । ମଠାଧୀଶଙ୍କ ସହ ଚାରି ବୌଦ୍ଧ ଭିକ୍ଷୁଙ୍କ ନିଶାଖୋର ଅଭ୍ୟାସ ଯୋଗୁଁ ତାଙ୍କୁ ଏଠାରୁ ବାହାର କରି ଦିଆଯାଇଛି ।
ଘଟଣାଟି ଘଟିଛି କେନ୍ଦ୍ରୀୟ ଥାଇଲାଣ୍ଡର ଫତେଚମ୍ୱୁନ ପ୍ରାନ୍ତର ୱଙ୍ଗ ସ୍ୟାମ ଫାନ ଜିଲ୍ଲାର ଏକ ବୌଦ୍ଧ ମନ୍ଦିରରେ । ଏଠାରେ ମଠାଧୀଶଙ୍କ ସହ ଚାରି ଭିକ୍ଷୁଙ୍କ ସୋମବାର ମେଥମଫେଟାମାଇନ ଟେଷ୍ଟ କରାଯାଇଥିଲା, ଯାହା ପଜିଟିଭି ଆସିଥିଲା।
ସ୍ଥାନୀୟ ଜଣେ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ରୀୟ ଥାଇଲାଣ୍ଡର ଏକ ବୌଦ୍ଧ ମନ୍ଦିରର ଭିକ୍ଷୁଙ୍କୁ ବାହାର କରାଯାଇଛି କାରଣ ସମସ୍ତେ ମାଦକ ଦ୍ରବ୍ୟ ଟେଷ୍ଟରେ ଫେଲ୍ ହୋଇଛନ୍ତି । ଏହାପରେ ସମସ୍ତଙ୍କୁ ନିଶାମୁକ୍ତି କେନ୍ଦ୍ରକୁ ପଠାଯାଇଛି । ତେବେ ଏହାପରେ ସ୍ଥାନୀୟ ଗ୍ରାମବାସୀ କିପରି ପୂଜା କରିବେ ଏବଂ ପୂଣ୍ୟ ଅର୍ଜନ କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି । ଅନ୍ୟପଟେ ମନ୍ଦିରରେ ନୂଆ ଭିକ୍ଷୁ ଏବଂ ମଠାଧିଶଙ୍କୁ ନିଯୁକ୍ତି କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି