ଏସିଆ କପ୍ରୁ ବାଦ୍ ପଡ଼ିଲେ ପାକିସ୍ତାନର ଏହି ଷ୍ଟାର ଖେଳାଳି, ଭାରତୀୟ ଖେଳାଳିଙ୍କ ପାଇଁ ଥିଲେ ବଡ଼ ବିପଦ
20/08/2022 at 7:18 PM

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ପୂର୍ବରୁ ପାକିସ୍ତାନ ଦଳକୁ ଲାଗିକା ଜୋରଦାର ଝଟକା। ଆହତଜନିତ ସମସ୍ୟା କାରଣରୁ ଦଳର ଷ୍ଟାର ବୋଲର ଶାହିନ ଶାହ ଆଫ୍ରିଦି ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି। ଏସିଆ କପ୍ରୁ ଶାହିନ ଆଫ୍ରିଦି ବାଦ୍ ପଡିବା ଭାରତୀୟ ଦଳ ପାଇଁ କିଛିଟା ଆଶ୍ଵସ୍ତିକର ବିଷୟ। କାରଣ ସେ ହେଉଛନ୍ତି ସେହି ବୋଲର ଯିଏ ଗତ ବର୍ଷ ଟି-୨୦ ବିଶ୍ଵ କପରେ ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇଥିଲେ।
ଏ ନେଇ ଶନିବାର ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଏହାର ସୂଚନା ଦେଇଛି। ସ୍କାନ ରିପୋର୍ଟ ସାମ୍ନାକୁ ଆସିବା ପରେ ଡାକ୍ତରୀ ଦଳ ଆଫ୍ରିଦିଙ୍କୁ ଚାରିରୁ ଛଅ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଫଳରେ ପାକିସ୍ତାନର ଏହି ମୁଖ୍ୟ ବୋଲର ଏସିଆ କପ୍ ସହ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ରୁ ବାଦ୍ ପଡିଛନ୍ତି। ତେବେ ଅକ୍ଟୋବରରେ ନ୍ୟୁଜିଲାଣ୍ଡରେ ଟି-୨୦ର ତ୍ରିକୋଣୀୟ ସିରିଜ ସହିତ କ୍ରିକେଟ୍ ମଇଦାନକୁ ସେ ଫେରି ପାରନ୍ତି।
ତେବେ ପାକିସ୍ତାନ ପାଇଁ ଆଶ୍ଵସ୍ତିକର ବିଷୟ ଆଫ୍ରିଦି ଅକ୍ଟୋବର ଶେଷ ଆଡକୁ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍ରେ ଦଳର ପ୍ରତିନିଧିତ୍ଵ କରି ପାରିବେ। ଗାଲେରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଫିଲ୍ଡିଂ ବେଳେ ଶାହିନ ଆଫ୍ରିଦିଙ୍କ ଡାହାଣ ଗୋଡର ଲିଗାମେଣ୍ଟରେ ଆଘାତ ଲାଗିଥିଲା। ଏବେ ସେ ଧିରେ ଧିରେ ଆହତ ସମସ୍ୟାରୁ ମୁକୁଳୁଛନ୍ତି। ହେଲେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବରେ ତାଙ୍କୁ ଆହୁରି ସମୟ ଲାଗିବ। ଏହି କାରଣରୁ ତାଙ୍କୁ ଦେଢ ମାସ କ୍ରିକେଟରୁ ଦୂରେଇ ରହିବାକୁ ପଡିବ।