ଟି-୨୦ ବିଶ୍ଵ କପ୍‌ରେ କେଉଁ ଖେଳାଳି ନେବେ ବୁମରାଙ୍କ ସ୍ଥାନ ? ଦୌଡରେ ଅଛନ୍ତି ଏହି ୫ ବୋଲର

Published By : Prameya-News7 Bureau | September 29, 2022 IST

ନୂଆଦିଲ୍ଲୀ: ଭାରତୀୟ ଦଳକୁ ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଶକ୍ତ ଧକ୍କା ଲାଗିଛି। ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପରେ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି ଦଳର ମୁଖ୍ୟ ବୋଲର ଯଶପ୍ରୀତ ବୁମରା। ତାଙ୍କ ପିଠିରେ ଗୁରୁତର ଆଘାତ ଲାଗିଥିବା ପିଟିଆଇ ସୂତ୍ରରୁ ପ୍ରକାଶ। ବୁମରା ବାଦ୍  ପଡିବା ଭାରତୀୟ ଦଳର ବିଶ୍ଵ କପ୍‌ ଅଭିଯାନକୁ ଜୋରଦାର ଝଟକା ଦେଇଛି।

ବୁମରା ବାଦ୍ ପଡିବା ଭାରତୀୟ ଦଳର ଚିନ୍ତାକୁ ଆହୁରି ବଢାଇ ଦେଇଛି। ବର୍ତ୍ତମାନ ଦଳକୁ ତାଙ୍କର ଉପଯୁକ୍ତ ବଦଳ ଖେଳାଳି ଚୟନ କରିବାକୁ ପଡିବ। ଦେଖିବା ବାକି ରହିଲା, ବୁମରାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ୧୫ ଜଣିଆ ଦଳରେ ସାମିଲ୍ କରାଯାଉଛି। ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ ଯିଏ ବୁମରାଙ୍କ ସ୍ଥାନ ନେବା ପାଇଁ ଦୌଡରେ ଅଛନ୍ତି।

ମହମ୍ମଦ ଶାମି

ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିଶ୍ଵ କପ୍‌ ଦଳ ପାଇଁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଚୟନ କରାଯାଇଛି। କୋଭିଡ୍ ପଜିଟିଭ୍ କାରଣରୁ ଶାମି ଅଷ୍ଟ୍ରେଲିଆ ସିରିଜ୍ ସହ ଦକ୍ଷିଣ ଆଫ୍ରିକା ସିରିଜ୍‌ ଖେଳି ପାରି ନାହାନ୍ତି। ଏବେ ସେ କୋଭିଡ୍-୧୯ରୁ ସୁସ୍ଥ ହୋଇ ସାରିଛନ୍ତି, ଯାହା ଭାରତୀୟ ଦଳ ପାଇଁ ଆଶ୍ଵସ୍ତିକର ଖବର। ସଂପ୍ରତି ଶାମି ଯଶପ୍ରୀତ ବୁମରାଙ୍କ ସ୍ଥାନ ନେବା ପାଇଁ ସବୁଠୁ ବଡ ଦାବିଦାର। ଅଷ୍ଟ୍ରେଲିଆ ମାଟିରେ ଖେଳିବାର ତାଙ୍କର ଢେର ଅଭିଜ୍ଞତା ରହିଛି, ଯାହା ଦଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଶାମି ନିଜର ଶେଷ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଗତ ବର୍ଷ ବିଶ୍ଵ କପ୍‌ରେ ଖେଳିଥିଲେ।

ଦୀପକ ଚହର

ଦ୍ରୁତ ବୋଲର ଦୀପକ ଚହରଙ୍କୁ ଟି-୨୦ ବିଶ୍ଵ କପ୍‌ ପାଇଁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଚୟନ କରାଯାଇଛି। ଚହର ଏସିଆ କପ୍‌ରେ ମଧ୍ୟ ଷ୍ଟାଣ୍ଡବାଇ ଖେଳାଳି ଥିଲେ। ମାତ୍ର ଅଭେଶ ଖାନ ଅସୁସ୍ଥ ହେବାରୁ ଚହରଙ୍କୁ ଦଳରେ ସାମିଲ୍ କରାଯାଇଥିଲା। ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଚହରଙ୍କ ବ୍ୟାଟିଂରେ ମଧ୍ୟ ଯୋଗଦାନ ଦେବାର ସାମର୍ଥ୍ୟ ରହିଛି। ତେଣୁ ସେ ବୁମରାଙ୍କ ଭଲ ବିକଳ୍ପ ହୋଇ ପାରନ୍ତି।

ଉମେଶ ଯାଦବ

ମହମ୍ମଦ ଶାମି ଏବଂ ଦୀପକ ଚହରଙ୍କ ବ୍ୟତୀତ ଉମେଶ ଯାଦବ ମଧ୍ୟ ଭଲ ବିକଳ୍ପ ହୋଇ ପାରିବେ। ମହମ୍ମଦ ଶାମି କୋଭିଡ୍-୧୯ ପଜିଟିଭ୍ ହେବା ପରେ ଯାଦବଙ୍କୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଦଳରେ ସାମିଲ୍ କରାଯାଇଛି। ଉମେଶଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମୁକାବିଲାରେ ଖେଳିବାକୁ ସୁଯୋଗ ମିଳିଥିଲା। ଉକ୍ତ ମ୍ୟାଚ୍‌ରେ ସେ ଦୁଇ ଓ୍ଵିକେଟ୍ ନେବାରେ ସଫଳ ହୋଇଥିଲେ। ଉମେଶଙ୍କ ନିକଟରେ ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି ଏବଂ ସେ ଅଷ୍ଟ୍ରେଲିଆ ପିଚ୍‌ରେ ଉପଯୋଗୀ ଖେଳାଳି ସାବ୍ୟସ୍ତ ହୋଇ ପାରନ୍ତି।

ଠାକୁର ଓ ସିରାଜ୍ ବି ଦାବିଦାର

ଶାର୍ଦ୍ଦୁଳ ଠାକୁର ଭାରତ-ଏ ପାଇଁ ନ୍ୟୁଜିଲାଣ୍ଡ ଏ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ। ଶାର୍ଦ୍ଦୁଳ ତିନି ମ୍ୟାଚ୍‌ରେ ୨୪.୫୦ ହାରରେ ଚାରୋଟି ଓ୍ଵିକେଟ୍ ନେଇଥିଲେ। କେବଳ ଏତିକି ନୁହେଁ ତୃତୀୟ ଦିନିକିଆରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ମହମ୍ମଦ ସିରାଜ ମଧ୍ୟ ବୁମରାଙ୍କ ଭଲ ବିକଳ୍ପ ହୋଇ ପାରିବେ। ସିରାଜ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟରେ ଚମତ୍କାର ବୋଲିଂ କରି ଭାରତକୁ ସ୍ମରଣୀୟ ବିଜୟ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗାବାରେ ଐତିହାସିକ ଟେଷ୍ଟ ବିଜୟର ସ୍ମରଣୀୟ ମୁହୂର୍ତ୍ତ ଏବେ ମଧ୍ୟ ଭାରତୀୟ ପ୍ରଶଂସକଙ୍କ ମନରେ ସତେଜ ରହିଛି।

ଟି-୨୦ ବିଶ୍ଵ କପ୍‌ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହ।

ଷ୍ଟାଣ୍ଡବାଇ- ଶ୍ରେୟସ ଆୟର, ମହମ୍ମଦ ଶାମି, ଦୀପକ ଚହର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.