ଏହି ଗୋଟିଏ ଭୁଲ ଯୋଗୁ ଧରାପଡିଗଲେ ସଲମାନଙ୍କଘର ଉପରକୁ ଗୁଳି ଚଳାଇଥିବା ସାଗର ଓ ଭିକ୍କି

Published By : Prameya-News7 Bureau | April 16, 2024 IST

ମୁମ୍ବାଇ ୧୬।୪: ଅଭିନେତା ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଫାୟରିଂ ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ସମ୍ପର୍କ ବିହାର ସହ ରହିଛି। ପୋଲିସ ମଙ୍ଗଳବାର ସେମାନଙ୍କୁ ଗୁଜରାଟର ଭୁଜରୁ ଗିରଫ କରିଛି। ସେମାନଙ୍କ ନାମ ସାଗର ପାଲ ଓ ଭିକ୍କି ଗୁପ୍ତା। ଏମାନେ ବିହାର ଚମ୍ପାରଣର ମୂଳ ବାସିନ୍ଦା। ଉଲ୍ଲେଖ ଯୋଗ୍ୟ ଯେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଦୁଇ ଅଭିଯୁକ୍ତଙ୍କ ଗିରଫ ନେଇ ସଲମାନ ଓ ତାଙ୍କ ପରିବାରକୁ ସୂଚିତ କରିଛି। ଘଟଣା ପରଠାରୁ ପରିବାର ବେଶ୍ ଚିନ୍ତିତ ଥିଲା। 

ସଲମାନଙ୍କ ଘର ବାହାରେ ଫାୟରିଂ ପରଠାରୁ ମୁମ୍ବାଇ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏହା ଉପରେ କଡ଼ା ନଜର ରଖିଥିଲା। ଅଭିଯୁକ୍ତଙ୍କ ଗିରଫ ପରେ ସାମ୍ନାକୁ ଆସିଥିବା ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଏବେ ଏହି କେସ୍‌ରେ ବିହାର ଚମ୍ପାରଣ ଜିଲ୍ଲାରେ କାମ କରୁଛି। ଏଥିରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ୍‌ ଦୁଇଜଣଙ୍କୁ ଗିରଫ କରିବାରେ କିପରି ସଫଳ ହେଲା ଏହା ଜାଣିବା ଏବେ ଆଗ୍ରହର ବିଷୟ ପାଲଟିଛି। ଉଲ୍ଲେଖଯୋଗ୍ୟ ଯେ ଘଟଣା ପରେ ବି ଦୁଇ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଚାଲୁ ଅବସ୍ଥାରେ ଥିଲା। ଯାହା ତଦନ୍ତକାରୀ ଟିମ୍‌ ପାଇଁ ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ ହୋଇଥିଲା। 

କ୍ରାଇମବ୍ରାଞ୍ଚ ଟିମ୍‌ ସିସିଟିଭି କ୍ୟାମେରାକୁ ଟ୍ରାକ୍‌ କରି ନିଜ ନେଟୱାର୍କକୁ ସକ୍ରିୟ କରିଥିଲା। ପୋଲିସ ଦୁଇ ଅଭିଯୁକ୍ତଙ୍କ ଫୋନକୁ ଟ୍ରାକ୍‌ କରି ସେମାନଙ୍କ ଲୋକେସନ ଠାବ କରିଥିଲା। ଏଥିରେ ସୋମବାର ସେମାନଙ୍କ ଲୋକେସନ ସ୍ପଷ୍ଟ ହେବା ପରେ ଗୋଟିଏ ଟିମ୍‌କୁ ଗୁଜରାଟ ପଠାଯାଇଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ନକ୍ଷତ୍ରଣା ପହଞ୍ଚିଥିଲା ଓ ସ୍ଥାନୀୟ ପୋଲିସକୁ ଏ ବାବଦେ ସୂଚିତ କରିଥିଲା। ଶେଷରେ ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ଦୁଇଜଣଙ୍କୁ କଚ୍ଛର ଆଶାପୁର ମାତାମଠ ମନ୍ଦିରରୁ ଗିରଫ କରାଯାଇଥିଲା। ସେମାନଙ୍କୁ ସଡ଼କ ମାର୍ଗରେ ଭୁଜ ଅଣାଯାଇଥିଲା ଓ ସେଠାରୁ ଏୟାରଇଣ୍ଡିଆ ବିମାନରେ ମୁମ୍ବାଇ ଅଣାଯାଇଛି। 

ଭୁଜ ଏସପି ମହେନ୍ଦ୍ର ବାଗରିୟା ଗଣମାଧ୍ୟମ ସହ ଆଲୋଚନାରେ ସେମାନଙ୍କୁ ହତିୟାର ୧୩ ଏପ୍ରିଲ ରାତିରେ ଅଜ୍ଞାତ ବ୍ୟକ୍ତି  ବାନ୍ଦ୍ରାରେ ଦେଇଥିଲା। ସେମାନେ ପନୱେଲରେ ରହୁଥିଲେ ଓ ସଲମାନଙ୍କ ଘରକୁ ବାଇକ୍ ଓ ଅଟୋରିକ୍ସାରେ ଆସି ରେକି କରୁଥିଲେ। ଏହାପରେ ଏପ୍ରିଲ ୧୪ ତାରିଖ ଦିନ ଭୋର ପ୍ରାୟ ସାଢେ ୪ଟା ବେଳେ ସଲମାନ ଖାନଙ୍କ ଘର ବାହାରେ ଫାୟରିଂ କରିଥିଲେ। ତେବେ ସେମାନେ ଯେଉଁ ଅସ୍ତ୍ରରୁ ଗୁଳି ଚଳାଇଥିଲେ ତାକୁ ଫିଙ୍ଗି ଦେଇଥିବା ଅଧିକାରୀଙ୍କୁ କହିଛନ୍ତି। ସେମାନଙ୍କ ମୋବାଇଲ ଫୋନ ଚାଲୁ ରହିବା ହିଁ ସେମାନଙ୍କୁ ପୋଲିସ ଜାଲରେ ଫଶାଇ ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.