ମୁମ୍ବାଇ ୨୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ମହାଯୁତୀ ସରକାର ହେବା ନିଶ୍ଚିତ ହୋଇଯାଇଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ନିର୍ବାଚନରେ ବିଜେପି ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି। ତେବେ ମୁଖ୍ୟମନ୍ତ୍ରୀ ରୂପେ ଏକନାଥ ସିନ୍ଦେଙ୍କୁ କାୟମ ରଖାଯିବ କି ବିଜେପି ନିଜର କୌଣସି ବରିଷ୍ଠ ନେତାଙ୍କୁ ଆଗକୁ କରି ମୁଖ୍ୟମନ୍ତ୍ରୀ ଚୌକି ଦେବା ପାଇଁ ଚାପ ସୃଷ୍ଟି କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।
ରାଜନୈତିକ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବିଜେପି ନେତା ଦେବେନ୍ଦ୍ର ଫଡନବୀଶ, ଶିବସେନା (ସିନ୍ଦେ) ନେତା ଏକନାଥ ସିନ୍ଦେ ଓ ଏନସିପି(ଅଜିତ) ନେତା ଅଜିତ ପାୱାର ରବିବାର ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ବିଜେପି ହାଇକମାଣ୍ଡଙ୍କ ସହ ନେତାମାନଙ୍କ ବୈଠକ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ବାହାର କରାଯିବ। ଏ ପର୍ଯ୍ୟନ୍ତ ମିଳୁଥିବା ସୂଚନା ଅନୁସାରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ନିର୍ଦ୍ଧାରଣ ହେବା ନିଶ୍ଚିତ। ସେହିପରି ମହାଯୁତୀ ମେଣ୍ଟର ବିଧାୟକଙ୍କ ସଂଖ୍ୟା ଆଧାରରେ ମନ୍ତ୍ରୀପଦ ଦିଆଯିବ।
କୁହାଯାଉଛି ୬-୭ ଜଣ ବିଧାୟକରେ ଜଣକୁ ମନ୍ତ୍ରୀ କରାଯିବାର ଫର୍ମୂଲା ତିଆରି କରାଯାଉଛି। ଏହି ହିସାବରେ ଦେଖିବାକୁ ଗଲେ ବିଜେପି ଭାଗକୁ ୨୨ରୁ ୨୪ଟି ମନ୍ତ୍ରୀପଦ ଯାଉଥିବା ବେଳେ ସିନ୍ଦେ ଗୋଷ୍ଠୀଙ୍କୁ ୧୦ରୁ ୧୨ଟି ଓ ଅଜିତଙ୍କ ଦଳରୁ ୮ରୁ ୧୦ ଜଣ ବିଧାୟକଙ୍କୁ ମନ୍ତ୍ରୀ କରାଯାଇ ପାରେ। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହେବାମାତ୍ରେ ପୁରା ଫର୍ମୂଲା ଘୋଷଣା କରିଦିଆଯିବ ଓ ସୋମବାର ସନ୍ଧ୍ୟାରେ ରାଜଭାବନରେ ଶପଥଗ୍ରହଣ ସମାରୋହ ବି ଆୟୋଜିତ ହୋଇପାରେ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କ୍ଷମତାସୀନ ମହାଯୁତୀ ମେଣ୍ଟ ବିଜୟୀ ହୋଇଛି। ନିର୍ବାଚନରେ ବିଜେପି ମହାଯୁତୀର ନେତୃତ୍ୱ ନେଇଥିଲା ଓ ନିଜ ସହଯୋଗୀ ଶିବସେନା(ସିନ୍ଦେ) ଏବଂ ଏନସିପି(ଅଜିତ)କୁ ସାଙ୍ଗରେ ନେଇ ଐତିହାସିକ ବିଜୟ ହାସଲ କରିଛି। ନିର୍ବାଚନରେ ବିଜେପି ଏକାକୀ ୧୪୮ ଆସନରେ ନିର୍ବାଚନ ଲଢି ୧୩୩ଟିରେ ବିଜୟୀ ହୋଇଥିବା ବେଳେ ପାର୍ଟିର ସହଯୋଗୀ ଶିବସେନା ଓ ଏନସିପି ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।