ଦେଶ ପାଇଁ ହିରୋ, ଆଇପିଏଲ୍‌ରେ ଜିରୋ; ଫେଲ୍‌ ମାରୁଛନ୍ତି ଦାମୀ ଖେଳାଳୀ

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ ୧୬।୦୪: ଆଇପିଏଲ୍‌ ୨୦୨୪ । ଦମ୍‌ଦାର୍‌ ପ୍ରଦର୍ଶନ କରୁଛନ୍ତି ସବୁ ଖେଳାଳୀ । ସୀମିତ ସମୟରେ ଭାଙ୍ଗିଲାଣି ବଡ ବଡ ରେକର୍ଡ । ବିଶାଳ ସ୍କୋର ଠାରୁ ଆରମ୍ଭ କରି ଦମ୍‌ଦାର୍‌ ଛକା ଓ ନାଟକୀୟ ବିଜୟରେ ଫ୍ୟାନ୍ସଙ୍କୁ କରୁଛି ଆଟ୍ରାକ୍ଟ । ଦୁଇ ଷ୍ଟାର୍‌ ପ୍ଲେୟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କୁ ମତୁଆଲା କରୁଛି । 

ଏହାବ୍ୟତୀତ ରିଷଭ ପନ୍ତ, ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଦମ୍‌ଦାର୍‌ ଖେଳାଳିଙ୍କ ପ୍ରଦର୍ଶନ ଆଇପିଏଲ୍‌ କରୁଛି ରୋମାଞ୍ଚକ । କିନ୍ତୁ କିଛି ପ୍ଲେୟର ଏପରି ଅଛନ୍ତି ଯିଏକି ଆଇପିଏଲ୍‌ ନିଲାମରେ ମୋଟା ଅଙ୍କର କିଣା ହୋଇଛନ୍ତି। କିନ୍ତୁ ଏମାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦଳ ପାଇଁ ହୋଇଛି ଚିନ୍ତାର କାରଣ ।

ଲିଷ୍ଟର ପ୍ରଥମରେ ଅଛନ୍ତି ଷ୍ଟାର୍‌ ଖେଳାଳି ମ୍ୟାକ୍ସୱେଲ୍‌ । ତାଙ୍କ ବିଫଳତା ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ପାଲଟିଛି ଚିନ୍ତାର କାରଣ । ମ୍ୟାକ୍ସୱେଲଙ୍କୁ ୧୧କୋଟିରେ କିଣିଥିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ । ମାତ୍ର ତାଙ୍କ ବ୍ୟାଟ୍‌ରୁ ଏପର୍ଯ୍ୟନ୍ତ ବାହାରିନି ଦେଖିବା ଭଳି ଇନିଂସ । ୬ଟି ମ୍ୟାଚ୍‌ରେ ସେ ଏପର୍ଯ୍ୟନ୍ତ କରିଛନ୍ତି ୩୨ ରନ୍‌ । ୩ଟି ମ୍ୟାଚ୍‌ରେ ତ ସେ ଖାତା ଖୋଲିପାରି ନାହାନ୍ତି । 

ଗତ ଦିନିକିଆ ବିଶ୍ୱକପ୍‌ରେ ମ୍ୟାକ୍ସୱେଲ୍‌ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଦ୍ୱିଶତକୀୟ ଇନିଂସ ଖେଳିଥିଲେ । ଆଉ ଆଇପିଏଲ୍‌ରେ ମଧ୍ୟ ଫ୍ୟାନ୍ସ ତାଙ୍କ ଠାରୁ ଏହି ପ୍ରଦର୍ଶନର ଆଶା ରଖିଥିଲେ । କିନ୍ତୁ ମ୍ୟାକ୍ସଓ୍ବେଲ୍‌ଙ୍କ ପ୍ରଦର୍ଶନରେ ନିରାଶ ହୋଇଛନ୍ତି ଦର୍ଶକ । ଆଉ ତାଙ୍କ ବିଫଳତା ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ପାଲଟିଛି ଚିନ୍ତାର କାରଣ । 

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଛନ୍ତି ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଆନରିଚ ନର୍ଜ । ଏପର୍ଯ୍ୟନ୍ତ ସେ ୪ଟି ମ୍ୟାଚ୍‌ ଖେଳି ୬ଟି ୱିକେଟ୍‌ ନେଇଛନ୍ତି ଓ ପ୍ରଦାନ କରିଛନ୍ତି ୨୧୫ ରନ୍‌ । ତାଙ୍କ ବିଫଳତା ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ପରାଜୟର ସାମ୍ନା କରିଛି । ନର୍ଜଙ୍କୁ ୬.୫କୋଟି ଟଙ୍କା ମୂଲ୍ୟରେ କିଣିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ମାତ୍ର ସେ ଏହାର ମୂଲ୍ୟ ରଖିନାହାନ୍ତି । 

ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭.୫କୋଟି ଟଙ୍କା ମୂଲ୍ୟରେ କାମେରନ ଗ୍ରୀନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଟ୍ରେଡ୍‌ କରିଥିଲା । ସେ ମଧ୍ୟ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ୫ଟି ମ୍ୟାଚ୍‌ରେ ସେ ୬୮ ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କ ପ୍ରଦର୍ଶନ ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳକୁ ପ୍ରଭାବିତ କରିଛି । 

ଜନି ବେୟାରଷ୍ଟୋ ମଧ୍ୟ ପଞ୍ଜାବ କିଙ୍ଗ୍‌ସକୁ ନିରାଶ କରିଛନ୍ତି । ସେ ଇତି ମଧ୍ୟରେ ୬ଟି ମ୍ୟାଚ୍‌ ଖେଳି ମାତ୍ର ୯୬ ରନ୍‌ ସଂଗ୍ରହ କରିଛନ୍ତି । ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ବିପକ୍ଷରେ ୪୨ ରନ୍‌ର ଏକ ଇନିଂସ ଖେଳିଥିଲେ । ବାକି ମ୍ୟାଚ୍‌ ଗୁଡ଼ିକରେ ସେ ବିଫଳ ହୋଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୯ ରନ୍‌ କରିଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ୮ ରନ୍‌, ଗୁଜରାଟ ଟାଇଟନ୍ସ ବିପକ୍ଷରେ ୨୨ ରନ୍‌ ଓ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୫ ରନ୍‌ କରିଥିଲେ । ସନରାଇଜର୍ସ ବିପକ୍ଷରେ ସେ ଖାତା ଖୋଲିପାରି ନଥିଲେ । 

ଦେବଦତ୍ତ ପାଡ଼ିକଲ ଗତ ବର୍ଷ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ତାଙ୍କୁ ଏଥର ଲକ୍ଷେ୍ନø ସୁପରଜାଏଣ୍ଟ୍‌ସ ୭.୭୫ କୋଟି ଟଙ୍କାରେ ଟ୍ରେଡ୍‌ କରିଥିଲା । ସେ ମଧ୍ୟ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ୫ଟି ମ୍ୟାଚ୍‌ ଖେଳି ସେ ୨୫ ରନ୍‌ ସଂଗ୍ରହ କରିଛନ୍ତି । ଏପର୍ଯ୍ୟନ୍ତ ସେ ଦୁଇ ଅଙ୍କରେ ପହଞ୍ଚି ପାରିନାହାନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ ଖାତା ଖୋଲିବାରେ ବିଫଳ ହୋଇଥିଲେ । ଏହାପରେ ସେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ୯, ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ୬, ଗୁଜରାଟ ଟାଇଟନ୍ସ ବିପକ୍ଷରେ ୭ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୩ ରନ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.