ମୁମ୍ବାଇ ୨୯।୧୧: ଶାହରୁଖ ଖାନ ବଲିଉଡରେ କେବଳ ତାଙ୍କ ଆୟ ମାମଲାରେ ନୁହେଁ ଟ୍ୟାକ୍ସ ପୈଠ କରିବାରେ ମଧ୍ୟ ଟପ୍ ରେ ଅଛନ୍ତି। ଦେଶରେ ଟ୍ୟାକ୍ସ ପୈଠ କରିବା ମାମଲାରେ ୫ ଟପ୍ ଇଣ୍ଡିଭିଜୁଆଲସଙ୍କ ନାମ ନିଆଗଲେ ଏଥିରେ ଶାହରୁଖଙ୍କ ନାମ ସବୁଠୁ ଉପରେ ଆସିବ। ୨୦୨୩-୨୪ ଆର୍ଥିକ ବର୍ଷର କଥା କୁହାଗଲେ ଶାହରୁଖ ଖାନ ମୋଟ ୯୨ କୋଟି ଟଙ୍କା ଶୁଳ୍କ ପୈଠ କରିଛନ୍ତି। ଗତବର୍ଷ ଶାହରୁଖଙ୍କ ‘ପଠାନ’, ‘ଜବାନ’ ଓ ‘ଡଙ୍କି’ ରିଲିଜ ହୋଇଥିଲା। ଏହି ଫିଲ୍ମଗୁଡିକର ବକ୍ସ ଅଫିସ ଆୟ ନୂଆ ଇତିହାସ ରଚିଥିଲା।
ଦେଶର ଦୁଇ ନମ୍ବର ଟ୍ୟାକ୍ସ ପେୟର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ବିଜୟଙ୍କ ନାମ ଆସୁଛି। ସେ ନିକଟରେ ତାଙ୍କ ନିଜର ରାଜନୈତିକ ଦଳ ସ୍ଥାପନା କରିଛନ୍ତି। ବିଜୟ ଟ୍ୟାକ୍ସ ଆକାରରେ ମୋଟ ୮୦ କୋଟି ଟଙ୍କା ପୈଠ କରିଛନ୍ତି। ଏହିପରି ସେ ଶାହରୁଖଙ୍କ ପରେ ସବୁଠୁ ଅଧିକ କର ଦେଉଥିବା ସେଲିବ୍ରିଟିରେ ପରିଣତ ହୋଇଛନ୍ତି। ଟ୍ୟାକ୍ସ ପୈଠ କରିବାରେ ତୃତୀୟ ନମ୍ବରରେ ଆସନ୍ତି ବଲିଉଡ ଭାଇଜାନ ସଲମାନ ଖାନ। ‘ବିଗବସ୍’ ହୋଷ୍ଟ ଭାବେ ପରିଚିତ ସଲମାନ ୨୦୨୩-୨୪ରେ ଟ୍ୟାକ୍ସ ଆକାରରେ ମୋଟ ୭୫ କୋଟି ଟଙ୍କା ପୈଠ କରିଛନ୍ତି।
ଅଭିନୟରେ ଶେହନଶାହ ରୂପେ ପରିଚିତ ତଥା ଗତ ୨୪ ବର୍ଷ ହେଲା ‘କୌନ ବନେଗା କରୋଡପତି’ ସୋ ହୋଷ୍ଟ କରୁଥିବା ଅମିତାଭ ବଚ୍ଚନ କରଦାତା ଭାବେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ସେ ସଲମାନଙ୍କ ଠାରୁ ୪ କୋଟି ଟଙ୍କା କମ ଅର୍ଥାତ ୭୧ କୋଟି ଟଙ୍କା ଟ୍ୟାକ୍ସ ପୈଠ କରିଛନ୍ତି। ଫଳରେ ବିଗ୍-ବି ଟପ ପାଞ୍ଚ କରଦାତାଙ୍କ ମଧ୍ୟରେ ନିଜ ନାମ ସୁନିଶ୍ଚିତ କରିଛନ୍ତି।
ବ୍ୟକ୍ତିଗତ ଭାବେ ସବୁଠୁ ଅଧିକ ଟ୍ୟାକ୍ସ ପୈଠ କରିବାର ଟପ୍ ୫ ସୂଚୀରେ ବଲିଉଡର ୩ ଓ ସାଉଥର ଜଣେ ଅଭିନେତା ଥିବା ବେଳେ ପଞ୍ଚମ ସ୍ଥାନ ମିଳିଛି ଜଣେ ଅଣ ଅଭିନେତାଙ୍କୁ। ସିଏ ଆଉ କିଏ ନୁହନ୍ତି ବରଂ ଜଣାଶୁଣା କ୍ରିକେଟର ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ହଜବେଣ୍ଡ ବିରାଟ କୋହଲୀ। ବିରାଟ ଟ୍ୟାକ୍ସ ଆକାରରେ ୬୬ କୋଟି ଟଙ୍କା ପୈଠ କରି ସୂଚୀର ପଞ୍ଚମ ସ୍ଥାନ ହାସଲ କରିଛନ୍ତି।