ଦିଲ୍ଲୀ ସେବା ବିଧେୟକ ଅଧ୍ୟାଦେଶଠାରୁ ମଧ୍ୟ ଅଧିକ ବିପଦଜନକ : ରାଘବ ଚ଼ଡ୍ଡା

Published By : Prameya-News7 Bureau | August 01, 2023 IST

ନୂଆଦିଲ୍ଲୀ ୧।୮: ଆମ ଆଦମୀ ପାର୍ଟି (ଆପ୍) ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର( ସଂଶୋଧନ) ବିଧେୟକ ୨୦୨୩ (ଜିଏନସିଟିଡି)କୁ ମଙ୍ଗଳବାର ବିରୋଧ କରିଛି। ଏହି ବିଧେୟକ ଗଣତନ୍ତ୍ରକୁ ‘ବାବୁରାଜ’ରେ ପରିଣତ କରିଦେବ ବୋଲି ଆପ୍ କହିଛି। ଆପ ନେତା ଓ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଜିଏନସିଟିଡିକୁ ପୂର୍ବର ଅଧ୍ୟାଦେଶଠାରୁ ମଧ୍ୟ  ଖରାପ ବୋଲି କହିଛନ୍ତି। ଏହା ଆମର ଗଣତନ୍ତ୍ର, ସମ୍ବିଧାନ ଓ ଦିଲ୍ଲୀ ଲୋକଙ୍କ ବିରୋଧରେ ବୋଲି ସେ କହିଛନ୍ତି।

ଦିଲ୍ଲୀ ସେବା ବିଧେୟକକୁ ସଂସଦରେ ଏ ପର୍ଯ୍ୟନ୍ତ ଉପସ୍ଥାପନ କରାଯାଇଥିବା ସବୁଠୁ ଅଗଣତାନ୍ତ୍ରିକ ଓ ଅବୈଧ କାଗଜ ଟୁକୁରା ବୋଲି କହି ରାଘବ ଚଡ୍ଡା ବିଧେୟକ ଦିଲ୍ଲୀ ନିର୍ବାଚିତ ସରକାରଙ୍କ ସମସ୍ତ ଶକ୍ତି ଛଡାଇ ସେ ସବୁକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଓ ବାବୁମାନଙ୍କ ହାତରେ ନ୍ୟସ୍ତ କରିଦେଉଥିବା କହିଛନ୍ତି। ଏହି ବିଧେୟକ ଗୃହୀତ ହେବା ପରେ ଦିଲ୍ଲୀ ଗଣତନ୍ତ୍ର ସ୍ଥାନରେ ବ୍ୟୁରୋକ୍ରାଟଙ୍କୁ ସବୁ କ୍ଷମତା ନ୍ୟସ୍ତ କରୁଛି। କାରଣ ଏଥିରେ ବ୍ୟୁରୋକ୍ରାଟ ଓ ଏଲଜିଙ୍କୁ ସର୍ବଶକ୍ତିମାନ କରାଯାଇଛି।

ଆପ ସାଂସଦ ରାଘବ ଚଡ୍ଡା କହିଛନ୍ତି ଯେ ଦିଲ୍ଲୀର ନିର୍ବାଚିତ ସରକାରଙ୍କର କୌଣସି କ୍ଷମତା ରହିବ ନାହିଁ,ଯାହା ଦିଲ୍ଲୀର ୨ କୋଟି ଲୋକଙ୍କ ଅପମାନ ସଦୃଶ। ଦିଲ୍ଲୀର ଜନତା ଐତିହାସିକ ବହୁମତରେ ଅରବିନ୍ଦ କେଜରିୱାଲଙ୍କ ସରକାରଙ୍କୁ ନିର୍ବାଚିତ କରିଥିଲେ। ଲୋକସଭା ଓ ରାଜ୍ୟସଭାରେ ଅଧ୍ୟାଦେଶ ସ୍ଥାନରେ ଯେଉଁ ବିଧେୟକ ଅଣାଯାଇଛି ତାହା ଅଧ୍ୟାଦେଶଠାରୁ ମଧ୍ୟ ଖରାପ। ଏହା ଆମ ଦେଶର ନ୍ୟାୟପାଳିକା ଉପରେ ଆକ୍ରମଣ ବୋଲି ଚଡ୍ଡା କହିଛନ୍ତି। ଏହା ଭାରତୀୟ ସଂଘୀୟ ଢାଞ୍ଚା, ଗଣତନ୍ତ୍ର ଓ ସମ୍ବିଧାନ ଉପରେ ଆକ୍ରମଣ ବୋଲି ସେ କହିଛନ୍ତି।

wp:html /wp:html

ରାଘବ ଚଡ୍ଡା ବିଜେପିକୁ ଟାର୍ଗେଟ୍ କରି ଦଳ ଦିଲ୍ଲୀରେ ସରକାର କରିବାକୁ ଲଗାତାର ବିଫଳ ହେବା ପରେ ଜାତୀୟ ରାଜଧାନୀରେ ଅପ୍ରାସଙ୍ଗିକ ହୋଇପଡିଛି ବୋଲି କହିଛନ୍ତି। କାରଣ ଗତ ୨୫ ବର୍ଷରେ ଦିଲ୍ଲୀର ସବୁ ୬ ଜଣ ମୁଖ୍ୟମନ୍ତ୍ରୀ ଅଣ ବିଜେପିଦଳର ଥିଲେ। ଏଣୁ ବିଧେୟକ ମାଧ୍ୟମରେ ବିଜେପି ଆମ ଆଦମୀ ପାର୍ଟି ଠାରୁ କ୍ଷମତା ଛଡେଇ ଦିଲ୍ଲୀ ସରକାରଙ୍କୁ ପ୍ରଭାବହୀନ କରିବାକୁ ଉଦ୍ୟମ କରୁଥିବା କହିଛନ୍ତି। ଚଡ୍ଡା ଏହା ସହ ବିଧେୟକ ରେ ଥିବା ଅଭାବ ସମ୍ପର୍କରେ କହିଥିଲେ।

ଏହି ବିଧେୟକ ଅନୁସାରେ ଅଧିକାରୀ ଦିଲ୍ଲୀ ସରକାରଙ୍କର କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଲାଗୁ କରିବାକୁ ମନା କରିପାରନ୍ତି। ଅଧିକାରୀ ସବୁ ମନ୍ତ୍ରୀଙ୍କ ନିଷ୍ପତିକୁ ଅଡିଟ କରିପାରିବେ। ଦିଲ୍ଲୀର ସବୁ ବୋର୍ଡ ଓ ଆୟୋଗଙ୍କ ଅଧ୍ୟକ୍ଷ ନିଯୁକ୍ତି ଏଲଜିଙ୍କ ଉପରେ ନ୍ୟସ୍ତ ରହିବ। ବିଦ୍ୟୁତ ବୋର୍ଡ ଓ ଜଳ ବୋର୍ଡ ଅଧ୍ୟକ୍ଷଙ୍କ ନିଯୁକ୍ତି ମଧ୍ୟ ଏଲଜି କରିବେ। ଏବେ ରାଜଧାନୀ ଦିଲ୍ଲୀରେ ମାଗଣା ବିଦ୍ୟୁତ ଓ ପାଣି ମିଳିବ କି ନା ତାହା ଏଲଜି ନିଷ୍ପତ୍ତି ନେବେ।

ରାଘବ ଚଡ୍ଡା କହିଛନ୍ତି ଯେ ମୁଁ ବହୁତ ଆଶାନ୍ୱିତ ଯେ  ଏହା ସତ୍ୟ ଓ ଅସତ୍ୟ, ଧର୍ମ ଓ ଅଧର୍ମ ମଧ୍ୟରେ ଲଢେଇ। ଧର୍ମ ଓ ସତ୍ୟ ଆମ ସହିତ ଅଛି ଓ ବିଜେପି ଯାହା କରିବାକୁ ଯାଉଛି ତାହା ଅଧର୍ମ। ଏଣୁ ମୁଁ ଆଶା କରୁଛି ଧର୍ମର ବିଜୟ ହେବ। ରାଘବ ଚଡ୍ଡା କହିଛନ୍ତି ଯେ ମୁଁ ଆଶା କରୁଛି ଟ୍ରେଜରୀ ବେଞ୍ଚରେ ବସିଥିବେ କେତେକ ସାଂସଦ ଭାରତର ସମ୍ବିଧାନ ରକ୍ଷା ନିମନ୍ତେ ନିଶ୍ଚିତ ଆଗକୁ ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.