ଚାଲାଣ ବେଳେ ୨ ବସ୍ତା ଗଞ୍ଜେଇ ଜବତ; ତିନି ଅଭିଯୁକ୍ତ ଗିରଫ
29/03/2023 at 11:37 PM

ବାଲିପାଟଣା ୨୯/୦୩: ୩୪ କିଲୋ ଗଞ୍ଜେଇ ଜବତ କଲା ବାଲିଅନ୍ତା ଥାନା ପୋଲିସ। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି। ଏହି ଅଭିଯୋଗରେ ୩ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଜେମାଦେଇପୁର ତିଗିରିଆର ରାଜକିଶୋର ବେହେରା, ନୂଆପାଟଣା ତିଗିରିଆର ଲିପୁନା ବେହେରା ଏବଂ ବାଲିପାଟଣା କେନ୍ଦ୍ରାପଡ଼ାର ବିନୋଦ କୁମାର ସାହୁ। ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ୨ ଟି ଦାମୀ କାର୍ ସହ ୩ ଟି ସ୍ମାର୍ଟ ଫୋନ୍ ଜବତ କରିଛି ପୋଲିସ।

ଖବର ଅନୁସାରେ, ୨ଟି କାରରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ୍ ସୂଚନା ପାଇଥିଲା। ବାଲିଅନ୍ତା ଥାନାଧିକାରୀ ପୋଲିସ୍ ଟିମ୍ ସହ ୨ଟି କାରକୁ ପିଛା କରିଥିଲେ। ରାମଚନ୍ଦ୍ରପୁର କେନାଲ ବନ୍ଧ ରାସ୍ତାରେ ପୋଲିସ୍ ୨ କାର୍କୁ ଅଟକାଇଥିଲେ। ଯାଞ୍ଚ ପରେ କାର୍ରୁ ୨ ବସ୍ତା ଗଞ୍ଜେଇ ବାହାରିଥିଲା। ୩ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ କାବୁ କରି ଥାନାରେ ପଚରାଉଚରା କରିଥିଲା ପୋଲିସ୍। ପରେ ଅଭିଯୁକ୍ତମାନେ ସବୁକଥା ସ୍ୱୀକାର କରିଛନ୍ତି।