ବାଂଲାଦେଶ ଓ ଭାରତ ତୃତୀୟ ଦିନିକିଆ, ଯୁବ ଖେଳାଳିଙ୍କୁ ମିଳିପାରେ ସୁଯୋଗ

Published By : Prameya-News7 Bureau | December 10, 2022 IST

ଚଟ୍ଟୋଗ୍ରାମ ୧୦।୧୨ : ଶନିବାର ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ବାଂଲାଦେଶ ସିରିଜ କବ୍‌ଜା କରି ସାରିଛି । ତଥାପି ଶନିବାରର ମ୍ୟାଚ୍‌କୁ ହାଲ୍‌କା ଭାବେ ନନେଇ ସିରିଜ ମୂଳପୋଛ କରିବାକୁ ଘରୋଇ ଦଳ ପ୍ରୟାସ କରିବ । ଅନ୍ୟ ପଟରେ ଆହତ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ମନସ୍ଥ କରିଛି । କେଏଲ ରାହୁଲ ଦଳର ନେତୃତ୍ୱ ନେବେ ।

ଭାରତ ଚଳିତ ବର୍ଷ ୩ଟି ସିରିଜ ପରାଜିତ ହୋଇ ସାରିଛି । ଆଗକୁ ଦିନିକିଆ ବିଶ୍ୱକପ୍‌ । ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସଠିକ୍‌ ସମୟ ଆସିଛି । ରୋହିତ ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିଲେ । ବାମ ହାତ ବୁଢା ଆଙ୍ଗୁଳି ଫାଟି ରକ୍ତସ୍ରାବ ହୋଇଥିଲା । ପରେ ଆଘାତ ସ୍ଥାନରେ ବ୍ୟାଣ୍ଡେଜ ଗୁଡ଼ାଇ ସେ ବ୍ୟାଟିଂ କରିଥିଲେ । ଆହତ ସମସ୍ୟା ଯୋଗୁ ଆଗାମୀ ଟେଷ୍ଟ ସିରିଜରୁ ମଧ୍ୟ ସେ ବାଦ ପଡ଼ିବା ଆଶଙ୍କା ଦେଖା ଦେଇଛି । ତାଙ୍କ ଅନୁପସ୍ଥିତିରେ ଇଶାନ କିଷନ, ରାହୁଲ ତ୍ରିପାଠୀ ଓ ରଜତ ପାତିଦାରଙ୍କ ମଧ୍ୟରୁ ଜଣଙ୍କୁ ଖେଳିବାକୁ ସୁଯୋଗ ମିଳିବ । ଦୀପକ ଚହର ଓ କୁଲଦୀପ ସେନ ଆହତ ହୋଇ ବାଦ ପଡ଼ିଛନ୍ତି । ଫଳରେ ଦଳରେ ୩ଜଣ ପେସ୍‌ ବୋଲର ରହିଛନ୍ତି । ତେଣୁ ଶନିବାର ସ୍ପିନ୍‌ ବିଭାଗରେ ମଧ୍ୟ ପରିବର୍ତ୍ତନ ହେବ । କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ ।

ଭାରତ ବିପକ୍ଷରେ ବାଂଲାଦେଶ ଖେଳିଥିବା ଶେଷ ୫ଟି ଦିନିକିଆରୁ ୪ଟିରେ ବିଜୟୀ ହୋଇ ସାରିଛି । ବାଂଲାଦେଶ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଶନିବାର ମେହଦି ହାସାନ ମିରାଜଙ୍କ ଉପରେ ନଜର ରହିବ । ସେ ଉଭୟ ମ୍ୟାଚ୍‌ରେ ଦଳକୁ ବିଜୟୀ କରାଇଥିଲେ । ତାଙ୍କୁ ଏଥର ଅଟକାଇବା ପାଇଁ ଭାରତୀୟ ବୋଲର ପ୍ରାଥମିକତା ଦେବେ । ଭାରତ ପକ୍ଷରୁ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ଜମି ରହିବ । ଚଟ୍ଟୋଗ୍ରାମ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିବା ଏକ ପ୍ରକାର ନିଶ୍ଚିତ । ତେଣୁ ଏଠାରେ ବିଶାଳ ସ୍କୋର ହେବା ଆଶା କରାଯାଉଛି । ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଉଚିତ ହେବ ।

ଭାରତ: ଶିଖର ଧାୱନ, ଇଶାନ କିଷନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ (ଅଧିନାୟକ), ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ସର୍ଦୁଲ ଠାକୁର, ସାହବାଜ ଅହମ୍ମଦ/ କୁଲଦୀପ ଯାଦବ, ମହମ୍ମଦ ସିରାଜ, ଉମ୍ରାନ ମଲିକ ।

ବାଂଲାଦେଶ: ଲିଟନ ଦାସ (ଅଧିନାୟକ), ଆନାମୁଲ ହକ, ନଜମୁଲ ହୋସେନ ଶାନ୍ତୋ, ସାକିବ ଅଲ୍‌ ହାସନ, ମୁସଫିକର ରହିମ, ମହମୁଦୁଲ୍ଲା, ଅଫିଫ ହୋସେନ, ମେହଦି ହାସାନ ମିରାଜ, ନସୁମ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ଇବାଦତ ହୋସେନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.