ନୂଆବର୍ଷର ପ୍ରଥମ ଦିନରେ ଭାରତରେ ଭୂମିକମ୍ପର ତୃତୀୟ ଝଟକା, ତୀବ୍ରତା ୪.୬, ୧୫୦ କିମି ଗଭୀରରେ କେନ୍ଦ୍ର

Published By : Prameya-News7 Bureau | January 01, 2023 IST

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନ ସଂଧ୍ୟାରେ ଭାରତରେ ତୃତୀୟ ଭୂମିକମ୍ପ ଆସିଛି । ଏଥର ଲଦ୍ଦାଖରେ ଭୂମିକମ୍ପ ଅନୁଭବ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲଜିର ପକ୍ଷରୁ ଭୂମିକମ୍ପ ନେଇ ସୂଚନା ଦିଆଯାଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୬ ଥିବା ଜଣାପଡିଛି ।

ଲଦାଖର ଅଧିକାଂଶ ଅଞ୍ଚଳ ପର୍ବତୀୟ, ଏଥିପାଇଁ ବିପଦର ସମ୍ଭାବନା ଅଧିକ ରହିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଭୂମିକମ୍ପର ଝଟକାରେ କୌଣସି କ୍ଷୟକ୍ଷତିର ଖବର ସାମନାକୁ ଆସି ନାହିଁ । ତେବେ ଭୂମିକମ୍ପର କେନ୍ଦ୍ର କାରଗିଲଠାରୁ ୨୫୦ କିଲୋମିଟର ଦୂରରେ ଥିବା ଜଣାପଡୁଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲଜି ଅନୁସାରେ, ଭୂପୃଷ୍ଠରୁ ୧୫୦ କିଲୋମିଟର ଗଭୀରରେ ଭୂମିକମ୍ପର କେନ୍ଦ୍ର ।

ରବିବାର ଲଦାଖ ପୂର୍ବରୁ ଦେଶର ଅନ୍ୟ ଦୁଇ ସ୍ଥାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭବ ହୋଇଥିଲା । ଏନସିଏସ ଅନୁସାରେ ହରିୟାଣାର ଉତ୍ତର-ପଶ୍ଚିମରେ ଭୂମିକମ୍ପ ହୋଇଥିଲା, ଏହାର ଗଭୀରତା ଭୂପୃଷ୍ଠରୁ ୫ କିଲୋମିଟର ତଳେ ରହିଥିଲା । ସେଣ୍ଟରରୁ ମିଳିଥିବା ରିଡିଙ୍ଗ ଅନୁସାରେ, ଦିଲ୍ଲୀ-ଏନସିଆରରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା । ଏହାପରେ ସକାଳ ୧୧ଟାରେ ବଙ୍ଗୋପସାଗରରେ ମଧ୍ୟ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.